ସହରାଞ୍ଚଳ ଜମିର ହେବ ହାଇଟେକ ସର୍ଭେ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର ୧୭।୧(ସନ୍ତୋଷ ପାଢ଼ୀ): ରାଜସ୍ୱ ବିଭାଗ ଓ ଅଦିନିଆ ବର୍ଷାରେ କ୍ଷତିର କ୍ଷତିପୂରଣ ବଣ୍ଟନ, ଧାନ କିଣା ସମ୍ବନ୍ଧୀୟ ସମସ୍ୟା ନେଇ ଗଞ୍ଜାମ ଗସ୍ତ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ସମୀକ୍ଷା କରିଛନ୍ତି। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳ ସମ୍ମିଳନୀ କକ୍ଷରେ ସେ ସମୀକ୍ଷା କରିଥିଲେ ।

ରାଜ୍ୟର ସହରାଞ୍ଚଳରେ ଥିବା ଜମିର ହାଇଟେକ ସର୍ଭେ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲାରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକୁ ଇଡ଼କୋ ପକ୍ଷରୁ ଅଧିଗ୍ରହଣ କରି ଜମି ଦିଆଯାଇଥିଲା ସେଗୁଡିକ ଠିକ ଭାବେ ବ୍ୟବହାର ହେଉଛି କି ନାହିଁ ଏବଂ ଅନ୍ୟ ଉଦ୍ଦେଶ୍ୟରେ ଉକ୍ତ ଜମି ଗୁଡିକ ବ୍ୟବହାର ହେଉଛି କି ଏସମ୍ପର୍କରେ ମନ୍ତ୍ରୀ ବୈଠକ ରେ ପଚାରି ବୁଝିଥିଲେ।

ଏଥିସହ ଉକ୍ତ ଶିଳ୍ପାନୁଷ୍ଠାନ ମାନଙ୍କରେ କେତେ ଜଣ ସ୍ଥାନୀୟ ଓ ବାହାର ର ଲୋକ ନିଯୁକ୍ତି ପାଇଛନ୍ତି ସେନେଇ ଏକ ଡାଟାବେସ ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଟିମ ଗଠନ ହେବ ଏଥିରେ ଡିଆଇସି ଜିଏମ, ରାଜସ୍ୱ ନିରୀକ୍ଷକ ଓ ଅନ୍ୟମାନେ ରହିବେ।

Share