ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଜୀବଜଗତର ଆଦ୍ୟ କାଳରୁ ଅଦ୍ୟାବଧି ଘଟି ସାରିଥିବା ପାଞ୍ଚଟି ମହାବିଲୁପ୍ତିଗୁଡ଼ିକର ଅନ୍ୟତମ ମୁଖ୍ୟ କାରଣ ରୂପେ ପରିବେଶ ପ୍ରଦୂଷଣକୁ ଦାୟୀ କରାଯାଏ। ଏ ପ୍ରତ୍ୟେକରେ ତଦାନିନ୍ତନ ପ୍ରଜାତିଗୁଡ଼ିକ ମଧ୍ୟରୁ ପ୍ରାୟ ୮୦ ଶତାଂଶ ପର୍ଯ୍ୟନ୍ତ ବିଲୁପ୍ତ ହୋଇଯାଇଥିଲେ। ଏବେ ଷଷ୍ଠ ମହାବିଲୁପ୍ତି ଆଗମନର ସୂଚନା ଦେଲେଣି ବୈଜ୍ଞାନିକମାନେ। ସେମାନଙ୍କ ଆକଳନ ଅନୁସାରେ ଏହା କେତେ ଶହରୁ କେତେ ହଜାର ବର୍ଷ ମଧ୍ୟରେ ଆସିପାରେ। ପୁନଶ୍ଚ ପରିବେଶ ପ୍ରଦୂଷଣ ହିଁ ହେବ ଏହାର ମୁଖ୍ୟ କାରଣ। ବିଶେଷକରି ବାୟୁ ପ୍ରଦୂଷଣର ଏଥିରେ ରହିବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବମାନ ପ୍ରକଟିତ ହେଲାଣି ମୁଖ୍ୟତଃ ଜାଗତିକ ଉଷ୍ମତା ବୃଦ୍ଧିଠାରୁ ଆରମ୍ଭ କରି ବିଭିନ୍ନ ଜୀବଜାତିର ବିଲୁପ୍ତି ମାଧ୍ୟମରେ। ମଣିଷ ଉପରେ ଏହା ଯେଉଁ କେତୋଟି ପରିଣାମ ରୂପେ ପ୍ରକଟିତ ହେଉଛି, ତନ୍ମଧ୍ୟରୁ ଅନ୍ୟତମ ହେଲା ବାୟୁ ପ୍ରଦୂଷଣଜନିତ ଅକାଳ ମୃତ୍ୟୁ ଏବଂ ଆୟୁଷ କ୍ଷୟ। ଆମ ଦେଶରେ ଏହା ତୁଳନାମତ୍କ ଭାବେ ଅଧିକ ପରିଲକ୍ଷିତ ହେଉଛି। କାରଣ, ଆମେ ଅର୍ଥନୈତିକ ଅଭିବୃଦ୍ଧିର ପ୍ରୟାସରେ ପାଶ୍ଚାତ୍ୟ ଜଗତର ଶିଳ୍ପ ସଭ୍ୟତାକୁ ଏବଂ ଜୀବନଧାରାକୁ ଆପଣାଇ ନେଇଛୁ ସତ, କିନ୍ତୁ ତାହାର ସଠିକ ସୁପରିଚାଳନା କରିପାରୁ ନାହୁଁ।
ଜାତିର ଜନକ ଗାନ୍ଧିଜୀ କହୁଥିଲେ, ”ଭାରତର ଆମତ୍ା ଗ୍ରାମମାନଙ୍କରେ ହିଁ ନିବାସ କରେ।“ ସେତେବେଳେ ଗ୍ରାମ୍ୟ ଜୀବନ ଥିଲା ଏ ଦେଶର ବିଶେଷତା ଏବଂ ୧୯୨୫ ସୁଦ୍ଧା ପ୍ରତି ୧୦ ଜଣ ଭାରତୀୟଙ୍କ ମଧ୍ୟରୁ ୯ ଜଣରୁ ଅଧିକ ଗ୍ରାମାଞ୍ଚଳରେ ବାସ କରୁଥିଲେ। କିନ୍ତୁ କ୍ରମେ ଏହାର ଜନସଂଖ୍ୟା ବୃଦ୍ଧି ସହିତ ତାଳ ଦେଇ ଅଧିକରୁ ଅଧିକ ଲୋକ ସହରାଭିମୁଖୀ ହେବାକୁ ଲାଗିଲେ। ସ୍ବାଧୀନତା ପରେ ଏ ପ୍ରକ୍ରିୟା ତ୍ୱରାନ୍ବିତ ହେବାକୁ ଲାଗିଲା। ବିଶେଷକରି ଆମ ନୂତନ ଶାସକବର୍ଗ ପାଶ୍ଚାତ୍ୟ ଦେଶମାନଙ୍କୁ ଅନ୍ଧ ଭାବେ ଅନୁସରଣ କରିବା ଫଳରେ ଗାନ୍ଧିଜୀଙ୍କ ବିକାଶର ଦୃଷ୍ଟିକୋଣ ସମାଧି ନେଲା ଏବଂ ଗ୍ରାମାଞ୍ଚଳର କୃଷିଭିତ୍ତିକ ଅର୍ଥନୀତି ଅପେକ୍ଷା ଅଧିକରୁ ଅଧିକ ଗୁରୁତ୍ୱ ଲାଭ କଲା ବୃହତ୍ ଶିଳ୍ପ ତଥା ନ୍ୟାୟତଃ ତା’ର ସଙ୍ଗୀରୂପେ ସହରୀକରଣ। ଫଳରେ ଏବେ ପ୍ରତି ତିନିଜଣରୁ ଜଣେ ଭାରତୀୟ ସହରରେ ବାସ କରୁଛନ୍ତି। ଏହା ଆଗାମୀ ୨୦୩୬ ସୁଦ୍ଧା ୩୯ ଶତାଂଶରେ ପହଞ୍ଚତ୍ୟିବ ବୋଲି ସୂଚନା ଦେଲାଣି ଦେଶର ଜନଗଣନାକାରୀ ସଂସ୍ଥା, ଯାହାକି ଜାତିସଂଘର ଗଣନାନୁସାରେ ୨୦୪୬ ସୁଦ୍ଧା ୫୦ ଶତାଂଶକୁ ବୃଦ୍ଧି ପାଇବ।
ଅନ୍ୟ ଏକ ଆକଳନ ଅନୁସାରେ, ଆମ ଦେଶରେ ୧୯୫୧ ମସିହା ବେଳକୁ ସମୁଦାୟ ଲୋକ ସଂଖ୍ୟାର ୧୭.୩ ଶତାଂଶ (ଯଥାକ୍ରମେ ୩୬୨ ନିୟୁତ ଏବଂ ପ୍ରାୟ ୬୨ ନିୟୁତ) ସହରବାସୀ ହୋଇଥିବା ବେଳେ ଏବେ (୨୦୨୧ରେ) ତାହା ପହଞ୍ଚତ୍ ଯାଇଛି ୩୫.୪ ଶତାଂଶରେ (ଯଥାକ୍ରମେ ୧,୩୯୭ ନିୟୁତ ଏବଂ ୪୯୫ ନିୟୁତ)। ୨୦୫୦ ସୁଦ୍ଧା ୫୨.୮ ଶତାଂଶକୁ ବୃଦ୍ଧି ପାଇବ (ଯଥାକ୍ରମେ ୧,୬୫୯ ଏବଂ ପ୍ରାୟ ୮୭୭ ନିୟୁତ)। ଅତଏବ ପରିବର୍ଦ୍ଧିତ ହୋଇ ଚାଲିବ ଆମ ବର୍ତ୍ତମାନର ସହରଗୁଡ଼ିକ ଏବଂ ସୃଷ୍ଟି ହେବ ନୂତନ ନୂତନ ସହର। ପରିଣାମ ସ୍ବରୂପ ୧୯୭୦ ସୁଦ୍ଧା ୭.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ କଲିକତା ବିଶ୍ୱର ୧୦ମ ଏବଂ ୬.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ମୁମ୍ବାଇ ୧୫ତମ ସ୍ଥାନରେ ଥିଲା ବେଳେ ୨୦୧୮ରେ ଦିଲ୍ଲୀ ବିଶ୍ୱର ୨ୟ (୨୮.୫ ନିୟୁତ ଜନସଂଖ୍ୟା), ମୁମ୍ବାଇ ୭ମ (୨୦ ନିୟୁତ) ଏବଂ କଲିକତା ୧୬ଶ (୧୪.୭ ନିୟୁତ) ସ୍ଥାନ ଅଧିକାର କରିଥିଲେ। ଆଶା କରାଯାଏ ଯେ, ୨୦୩୦ ସୁଦ୍ଧା ସେଗୁଡ଼ିକ ଯଥାକ୍ରମେ ୧ମ (୩୮.୯ ନିୟୁତ ଜନସଂଖ୍ୟା), ୬ଷ୍ଠ (୨୪.୬ ନିୟୁତ) ଏବଂ ୧୬ଶ (୧୭.୬ ନିୟୁତ) ସ୍ଥାନରେ ରହିବେ। ସେହି ଅନୁପାତରେ ବଢ଼ିଚାଲିଛି ଏବଂ ବଢ଼ିଚାଲିବ ଅନ୍ୟ ସବୁ ସହରମାନଙ୍କର ଜନସଂଖ୍ୟା। ଏହା ବ୍ୟତୀତ ଇତିମଧ୍ୟରେ ଦେଶରେ ପ୍ରତିଷ୍ଠିତ ୩୦ରୁ ଅଧିକ ଶିଳ୍ପ କେନ୍ଦ୍ରକୁ ବେଷ୍ଟନ କରି ଗଢ଼ିଉଠିଛି ସହରମାନ। କ୍ରମେ ଏଗୁଡ଼ିକର ସଂଖ୍ୟା ବଢ଼ି ବଢ଼ି ଚାଲିବ।
ସହରମାନଙ୍କରେ ଜନସଂଖ୍ୟାର ସାନ୍ଦ୍ରତା ଅଧିକ। ଯେଉଁଠାରେ ଜନସଂଖ୍ୟା ଯେତେ ବେଶି, ସେଠାରେ ଏହା ସେତେ ଅଧିକ। ଅତଏବ ସେଠାର ଜଳ ଓ ବାୟୁ ସେହି ଅନୁପାତରେ ଅଧିକ ପ୍ରଦୂଷିତ। ସେଥିପାଇଁ ବର୍ତ୍ତମାନ ବିଶ୍ୱର ୨୦ଟି ସର୍ବାଧିକ ବାୟୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରୁ ୧୧ଟି ହେଉଛି ଆମ ଦେଶର। ବିଗତ ବର୍ଷ (୨୦୨୦)ର ଆକଳନ ଅନୁସାରେ, ପାକିସ୍ତାନର ଲାହୋର ଏହି ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ଭାରତର ଗାଜିଆବାଦ ଦ୍ୱିତୀୟ, ଦିଲ୍ଲୀ ଏବଂ ନୂଆଦିଲ୍ଲୀ ଯଥାକ୍ରମେ ତୃତୀୟ ଓ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଏଥି ପୂର୍ବରୁ ଦିଲ୍ଲୀର ସ୍ଥାନ ପ୍ରଥମ ଥିଲା।
ଏଗୁଡ଼ିକର ବାୟୁ ଅତ୍ୟନ୍ତ ଦୂଷିତ। ପ୍ରଚଳିତ ବାୟୁମାନ ଗଣନାଙ୍କ ଅନୁସାରେ ତାହା ୦(ଶୂନ)ରୁ ୫୦ ଭିତରେ ରହିବା ଖୁବ୍ ଉତ୍ତମ ଏବଂ ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ। କିନ୍ତୁ ଏହାର ସୀମା ୧୦୧ରୁ ୨୦୦, ୨୦୧ରୁ ୩୦୦, ୩୦୧ରୁ ୪୦୦ ଏବଂ ୪୦୧ରୁ ୫୦୦ ବା ଅଧିକ ରହିଲେ ତାହାକୁ ଯଥାକ୍ରମେ ଖରାପ, ବେଶ୍ ଖରାପ, ଅତି ବେଶି ଖରାପ ଏବଂ ଭୟଙ୍କର ଭାବେ ଖରାପ ବୋଲି କୁହାଯାଏ। ଆମ ପ୍ରଦୂଷିତ ସହରମାନଙ୍କର ବାର୍ଷିକ ହାରାହାରି ବାୟୁ ପ୍ରଦୂଷଣ ସୂଚନାଙ୍କ ଖରାପରୁ ଅତି ଖରାପ ମଧ୍ୟରେ ଥାଏ। ସେଥିପାଇଁ ବାୟୁପ୍ରଦୂଷଣ ଜନିତ ଆୟୁ କ୍ଷୟ ଏବଂ ଅକାଳମୃତ୍ୟୁରେ ଏହା ବିଶ୍ୱରେ ଅଗ୍ରଗଣ୍ୟ।
ବାୟୁ ପ୍ରଦୂଷଣର ମାନ ନିରୂପଣ ଲାଗି ଯେଉଁ କେତୋଟି ଉପାଦାନ ବିଚାରକୁ ନିଆଯାଏ, ତାହା ହେଲା ବାୟୁରେ ଭାସମାନ ଦୁଇ ପ୍ରକାର କଣିକା (୨.୫ ମାଇକ୍ରୋ-ମିଟର କିମ୍ବା ତହିଁରୁ କମ୍ ଏବଂ ୧୦ ମାଇକ୍ରୋ ମିଟର କିମ୍ବା ତହିଁରୁ କମ୍ ବ୍ୟାସାର୍ଦ୍ଧ ବିଶିଷ୍ଟ। ଏଗୁଡ଼ିକୁ ଯଥାକ୍ରମେ ପିଏମ୍ ୨.୫ ଏବଂ ପିଏମ୍ ୧୦ ବୋଲି କୁହାଯାଏ। ପିଏମ୍ ଅର୍ଥ ହେଲା ପାର୍ଟିକ୍ୟୁଲେଟ ମ୍ୟାଟର। ଓଜୋନ୍, ଯବକ୍ଷାରଜାନ ଡାଇଅକ୍ସସାଇଡ୍, ଗନ୍ଧକ ଡାଇଅକ୍ସସାଇଡ୍ ଏବଂ କାର୍ବୋନ୍ ମନୋକସାଇଡ୍ ମଧ୍ୟରୁ ବାୟୁରେ ଭାସମାନ ସୂକ୍ଷ୍ମ କଣିକାଗୁଡ଼ିକ, ବିଶେଷକରି କ୍ଷୁଦ୍ରତମ ହୋଇଥିବା ପିଏମ୍ ୨.୫ ସବୁଠାରୁ ବିପଜ୍ଜନକ ବୋଲି ମନେକରାଯାଏ। କାରଣ ଏହା ଆମ ଫୁସ୍ଫୁସ୍ର ଗଭୀରତମ ପ୍ରଦେଶ ପର୍ଯ୍ୟନ୍ତ ପ୍ରବେଶ କରିପାରନ୍ତି ଏବଂ ସେଠାରେ ଜମା ହୋଇ ରହନ୍ତି। ଏପରିକି ଏଗୁଡ଼ିକ ଆମ ରକ୍ତସ୍ରୋତରେ ପ୍ରବେଶ କରିପାରନ୍ତି ଏବଂ ହୃଦ୍ବକ୍ଷ ତଥା ଶ୍ୱାସକ୍ରିୟାଜନିତ ସମସ୍ୟାର କାରଣ ହୋଇପାରନ୍ତି। ପୁନଶ୍ଚ ଏ ପ୍ରକାର କେତେକ କଣିକା କର୍କଟ ରୋଗକାରୀ ମଧ୍ୟ ହୋଇପାରନ୍ତି ବୋଲି ସୂଚନା ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା।
ଜାତିସଂଘର ଆକଳନ ଅନୁସାରେ ବାୟୁପ୍ରଦୂଷଣ ହେତୁ ଜାଗତିକ ଅକାଳ ମୃତ୍ୟୁ ଘଟୁଥିବା ପ୍ରାୟ ୭ ନିୟୁତ ଲୋକଙ୍କ ମଧ୍ୟରୁ ୧୬ରୁ ୧୭ଲକ୍ଷ ହେଲେ ଭାରତୀୟ। ପୁନଶ୍ଚ ଏଠାର ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୧୧୬ଜଣ ଏହି କାରଣରୁ ଗୁରୁତର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଅନ୍ୟପକ୍ଷରେ ବାୟୁ ପ୍ରଦୂଷଣକୁ ଯଦି ‘ଉତ୍ତମ’ ବା ‘ସନ୍ତୋଷଜନକ’ ସ୍ତରରେ ସୀମିତ ରଖାଯାଇପାରନ୍ତା, ତା’ହେଲେ ଜଣେ ଭାରତୀୟର ଆୟୁ ହାରାହାରି ୫.୩ ବର୍ଷ ପର୍ଯ୍ୟନ୍ତ ବଢ଼ିପାରନ୍ତା ବୋଲି ଏହା ସୂଚିତ କରିଛି। (ଦିଲ୍ଲୀରେ ସର୍ବାଧିକ ୯.୭ ବର୍ଷ ହେଲା ବେଳେ ଉତ୍ତରପ୍ରଦେଶରେ ୮.୦୬ ବର୍ଷ, ହରିୟାନାରେ ୮.୦୦ ବର୍ଷ, ପଶ୍ଚିମବଙ୍ଗରେ ୭.୧ ବର୍ଷ, ଓଡ଼ିଶାରେ ୪.୭ ବର୍ଷ ଏବଂ କର୍ନାଟକରେ ୨.୩ ବର୍ଷ ବଢ଼ିପାରନ୍ତା)। ସେହିପରି ନେପାଳ, ବାଂଲାଦେଶ, ସିଙ୍ଗାପୁର ଏବଂ ଚାଇନା କ୍ଷେତ୍ରରେ ଏ ଆୟୁ ବୃଦ୍ଧି ଯଥାକ୍ରମେ ୫.୦୬, ୫.୦୩, ୩.୭୫ ଏବଂ ୨.୬୪ ବର୍ଷ ହୁଅନ୍ତା।
ବାୟୁ ପ୍ରଦୂଷଣର ଏହିସବୁ ଭୟାବହତା କଥା ବିଚାରକୁ ନେଇ ଚଳିତବର୍ଷ (୨୦୨୧ ମସିହା) ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତା’ର ୨୦୦୫ ମସିହାରେ ଏହାର ନିରାପଦ ମାତ୍ରା ରୂପେ ଜାରି କରିଥିବା ମାନରେ କେତେକ ପରିବର୍ତ୍ତନ ଆଣିଛି। ଉଦାହରଣ ସ୍ବରୂପ ସେଥିରେ ବାୟୁରେ ପିଏମ୍ ୨.୫ର ମାତ୍ରା ୨୪ ଘଣ୍ଟାରେ ହାରାହାରି ୨୫ ମାଇକ୍ରୋଗ୍ରାମକୁ ନିରାପଦ ବୋଲି ଧରାଯାଉଥିଲା ବେଳେ ଏବେ ତାହାକୁ ୧୫ ମାଇକ୍ରୋଗ୍ରାମକୁ ହ୍ରାସ କରାଯାଇଛି। ଆମ ବିଭିନ୍ନ ସହରମାନଙ୍କରେ ଏହା ହାରାହାରି ୧୭ଗୁଣ ଅଧିକ। ଏଣୁ ଏହି ନୂତନ ନିରାପଦ ମାତ୍ରା ବିଚାରକୁ ନିଆଗଲେ ଆମ ସମଗ୍ର ଦେଶର ବାୟୁ ପ୍ରଦୂଷିତ ବୋଲି ସାବ୍ୟସ୍ତ ହେବ। ସାଧାରଣତଃ ଜୀବାସ୍ମ ଇନ୍ଧନ ବ୍ୟବହାରକାରୀ ବଡ଼ ବଡ଼ ଶିଳ୍ପ ଓ ଯାନବାହନ, ସଘନ କୃଷି, ଜୈବିକ ଇନ୍ଧନ ଦହନ ଆଦି ହେଲେ ବାୟୁ ପ୍ରଦୂଷଣ ସମସ୍ୟାର ମୁଖ୍ୟ କାରଣ। ଏଗୁଡ଼ିକର ସମାଧାନ ଧୀରେ ଧୀରେ ବାହାରିବାକୁ ଲାଗିଛି। ଆମେ ସେଗୁଡ଼ିକୁ ଗ୍ରହଣ କରି ବାୟୁପ୍ରଦୂଷଣର ଉତ୍ସଗୁଡ଼ିକୁ ସଙ୍କୁଚିତ କରିବା ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ଉଚିତ। ସହରୀକରଣକୁ ନିରୁତ୍ସାହିତ କରିବା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହେବ।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର