Categories: ଜାତୀୟ

୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଅନୁରୋଧ…

ନୂଆଦିଲ୍ଲୀ,୧୪ା୨: ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସଙ୍କଟ ଘନେଇବାରେ ଲାଗିଛି। ଏହାର ପ୍ରଭାବ ଏବେ ପୃଥିବୀର ଅନ୍ୟ ଦେଶ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ପୂର୍ବ ୟୁରୋପରେ ଯୁଦ୍ଧର ବିପଦ ମଧ୍ୟରେ, ୟୁକ୍ରେନରେ ଇଞ୍ଜିନିୟରିଂ ଏବଂ ମେଡ଼ିକାଲ ସହିତ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଇଥିବା ୨୦ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର ମଧ୍ୟ ଏହି ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ନେଇ ଆତଙ୍କିତ ହୋଇପଡ଼ିଛନ୍ତି। ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ପଞ୍ଜାବ ଏବଂ ରାଜସ୍ଥାନର। ଏହି ଛାତ୍ରୀଛାତ୍ରମାନଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ଦିଲ୍ଲୀର ରାଷ୍ଟ୍ରପତିଙ୍କ ସଚିବାଳୟରେ ମଧ୍ୟ ଏକ ନିବେଦନ କରାଯାଇଛି।

ରାଜସ୍ଥାନର କଂଗ୍ରେସ ନେତା ଚର୍ମେଶ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନପତ୍ରରେ ଉଲ୍ଲେଖ କରାଯାଇଛି ଯେ ଦେଶର ୨୦ ହଜାରରୁ ଅଧିକ ଛାତ୍ରୀଛାତ୍ର ଅଧ୍ୟୟନ ପାଇଁ ୟୁକ୍ରେନର ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଯାଇଛନ୍ତି। ଏବେ ଯୁଦ୍ଧ ସଙ୍କଟ ଯୋଗୁ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ଗୁରୁତର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଭାରତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି। ରାଜସ୍ଥାନର ପ୍ରାୟ ଏକ ହଜାର ଛାତ୍ରୀଛାତ୍ର ୟୁକ୍ରେନରେ ଅଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଭାରତୀୟ ଛାତ୍ରୀଛାତ୍ର ପଶ୍ଚିମ ୟୁକ୍ରେନରେ ରହୁଥିବାବେଳେ ପୂର୍ବ ସୀମାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଶୀଘ୍ର ଭାରତୀୟ ଛାତ୍ରୀଛାତ୍ରଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ଏହି ଏହି ଆବେଦନ ପତ୍ରରେ ଅନୁରୋଧ କରାଯାଇଛି।

Share