Categories: ଅନୁଗୋଳ

ପୋଲିସବାବୁଙ୍କ ଚୌକିରେ ପରିସ୍ରା

ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର.) ତହସିଲ ପ୍ରଶାସନ ଅଭିଯୋଗ ନ ରଖିବାରୁ ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ପଶି ଉନ୍ମତ୍ତକାଣ୍ଡ ଭିଆଇଛନ୍ତି ଖମାର ଗଁାର ଭାସ୍କର ସାହୁ। ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଲିସ ବାବୁଙ୍କ ଚୌକିରେ ପରିସ୍ରା କରିଛନ୍ତି। ପୋଲିସ ଟୋପି ଆଣି ମୁଣ୍ଡରେ ପିନ୍ଧି ବୁଲିଛନ୍ତି। ଦୀର୍ଘ ସମୟ ଧରି ଫାଣ୍ଡି ପରିସରରେ ଯୁବକଙ୍କ ଏପରି କାର୍ଯ୍ୟ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ମଧ୍ୟାହ୍ନ ୧୨ଟାରେ ଭାସ୍କର ଏକ ଶଗଡରେ ମା’ ଓ ନାତୁଣୀକୁ ଆଣି ୧୫୩-ବି ଜାତୀୟ ରାଜପଥର ବାଗଡିଆ ଫାଣ୍ଡି ସମ୍ମୁଖରେ ପହଞ୍ଚିଥିଲେ। ରାସ୍ତା ଉପରେ ଶଗଡ଼ ରଖିବା ସହ ଶୋଇ ରହି ରାଜପଥ ଅବରୋଧ କରିଥିଲେ। କିଛି ସମୟ ପରେ ଫାଣ୍ଡି ମୁଖ୍ୟ ଫାଟକ, ବୋର୍ଡ, ମୋଟର ସାଇକେଲ ଭଙ୍ଗାରୁଜା କରିଥିଲେ। ଫାଣ୍ଡିରେ ଥିବା ଜଣେ କନଷ୍ଟେବଳ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହାପରେ ଭାସ୍କର ଫାଣ୍ଡି ଅଧିକାରୀଙ୍କ ଟୋପି ଆଣି ପିନ୍ଧିଥିଲେ। ଆସବାବପତ୍ର, କାଗଜପତ୍ର ସହ ଅଧିକାରୀଙ୍କ ଚେୟାର ଉଠାଇ ରାସ୍ତାରେ ଫୋପାଡ଼ିଦେଇଥିଲେ। ଏପରି କି ତାହା ଉପରେ ପରିସ୍ରା କରିଥିଲେ। ଖବରପାଇ ଛେଣ୍ଡିପଦା ଥାନା ଏସ୍‌ଆଇ ସଂଘମିତ୍ରା ଶତପଥୀ ଓ ଫାଣ୍ଡି ଏଏସ୍‌ଆଇ ରମେଶ ପ୍ରଧାନ ପହଞ୍ଚି ତାଙ୍କୁ କାବୁ କରି ଥାନାକୁ ନେଇଥିଲେ। ଭାସ୍କର କହିଛନ୍ତି, ତାଙ୍କ ଜମି ଦେଇ କୋଇଲା ଖଣି ପାଇଁ ସର୍ଭେ କରାଯାଉଛି। କିନ୍ତୁ କମ୍ପାନୀ ପକ୍ଷରୁ ତାଙ୍କଠାରୁ ଅନୁମତି ନିଆଯାଇ ନାହିଁ। ଏ ନେଇ ମଙ୍ଗଳବାର ତହସିଲ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ ହେଁ ପାଗଳ କହି ତାଙ୍କୁ ଫେରାଇ ଦିଆଯାଇଥିଲା। ତହସିଲଦାର ଡାନିଏଲ ଏକ୍କା କହିଛନ୍ତି, ସନ୍ଧ୍ୟାରେ ଭାସ୍କର ଅଫିସ ଆସି ବସିରହିଥିଲେ। ତାଙ୍କୁ ପଚରାଯାଇଥିଲେ ମଧ୍ୟ ସେ ଠିକ୍‌ ଭାବେ କିଛି କହିପାରି ନ ଥିଲେ। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାସ କହିଛନ୍ତି, ଜମିଜମା ବିବାଦକୁ ନେଇ ଭାସ୍କର ମଙ୍ଗଳବାର ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ପୋଲିସ ତାଙ୍କୁ ସେଠାରୁ ଉଠାଇ ଆଣିଥିଲା। ରାତିରେ ଘରକୁ ଫେରିଥିବା ଭାସ୍କର ମଧ୍ୟାହ୍ନରେ ଫାଣ୍ଡିରେ କେହି ନ ଥିବାବେଳେ ଏପରି ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ନଂ. ୫୯୫/୨୧ରେ ମାମଲା ରୁଜୁ ସହ ତାଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।