ଉର୍ବଶୀଙ୍କ ଭାଗ୍ୟ ଟାଣ

ମୁମ୍ବାଇ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଲିଉଡ ନାୟିକା ଉର୍ବଶୀ ରୌତେଲା । ୨୫ ଫେବୃୟାରୀରେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏଥର ସେ ଜନ୍ମଦିନ ତାଙ୍କ ପରିବାର ସହ ମାଲଦ୍ୱୀପରେ ପାଳନ କରିବାର ଯୋଜନା କରିଛନ୍ତି । ଏଥିପାଇଁ ସେ ମାଲଦ୍ୱିପ ବାହାରି ଯାଇଛନ୍ତି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଇ ଦିନ ପୂର୍ବରୁ ଉର୍ବଶୀ ୟୁକ୍ରେନରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ । ହେଲେ ଜନ୍ମଦିନ ପାଳନ କରିବାକୁ ସେ ଶୁଟିଂରୁ ବିରତି ନେଇ ଭାରତ ଫେରି ଆସିଥିଲେ ।
ଗୁରୁବାର ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଯେଉଁଭଳି ଆକ୍ରମଣ କରାଯାଇଛି ଯଦି ଏବେ ଉର୍ବଶୀ ସେଠାରେ ଥାଆନ୍ତେ ତେବେ ହୁଏତ ସିଏ ଫସି ଯାଇଥାଆନ୍ତେ । ଭାରତ ଫେରିବା ତାଙ୍କ ପାଇଁ ମୁସ୍କିଲ ହୋଇ ଯାଇଥାଆନ୍ତା । ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ରୁଷିଆର ମିଶାଇଲ ଆକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏବେ ୟୁକ୍ରେନ୍ ବିମାନ ବନ୍ଦରରେ ରୁଷିଆ ଆକ୍ରମଣ କରିବା ଫଳରେ ବିଦେଶ ଉଡାଣକୁ କିଛିଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।
ଉର୍ବଶୀ ୟୁକ୍ରେନରେ ତାଙ୍କ ଅପକମିଙ୍ଗ ଫିଲ୍ମ ‘ଦ ଲେଜେଣ୍ଡ’ର ଶୁଟି କରୁଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଶୁଟିଂ ସମୟର କିଛି ଫଟୋ ଓ ଭିଡିଓ ସେ ୟୁକ୍ରେନରେ ଥାଇ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର ବି କରିଥିଲେ ।

Share