ମଣିପୁର ହିଂସାକୁ ରୋକିବା ନେଇ ସାହାଯ୍ୟ କରିବାକୁ ପ୍ରସ୍ତୁତ: ଆମେରିକା ରାଷ୍ଟ୍ରଦୂତ, କଟାକ୍ଷ କଲା କଂଗ୍ରେସ

ଓ୍ବାଶିଂଟନ୍‌,୭।୭: ୨ମାସରୁ ଅଧିକ ହେଲାଣି ମଣିପୁର ନିଆଁ ହୁତୁହୁତୁ ହୋଇ ଜଳୁଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାରମ୍ବାର ବୈଠକ ସତ୍ତ୍ୱେ ହିଂସା ଥମିବାର ନାଁ ନେଉ ନାହିଁ। ତେବେ ଏହି ସମୟରେ ମଣିପୁରକୁ ହତାଦାର କରି ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କେନ୍ଦ୍ରର ଅପାରଦର୍ଶିତାକୁ ପଦାରେ ପକାଇଛି। ତେବେ ମଣିପୁରରେ ଚାଲିଥିବା ହିଂସାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ହିଂସା ରୋକିବା ନେଇ ଆମେରିକା ସାହାଯ୍ୟର ହାତ ବଢେଇଛି। ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ କହିଛନ୍ତି,‘ମଣିପୁର ହିଂସା ନେଇ ଯଦି ଭାରତ ସାହାଯ୍ୟ ମାଗେ ତେବେ ଆମେ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବୁ। ଆମେ ଜାଣୁ ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ କିନ୍ତୁ ଆମେ ଯଥାଶୀଘ୍ର ରାଜ୍ୟରେ ଶାନ୍ତି ଆଶା କରୁଛୁ। ଦଙ୍ଗା ପରିସ୍ଥିତିକୁ ରୋକିବା ନେଇ ଆମେ କୌଣସି ଯୋଜନ କରିନାହୁଁ କିନ୍ତୁ ରାଜ୍ୟର ଜନଜାତିଙ୍କ ପାଇଁ ଆମେ ଚିନ୍ତିତ।

ସୂଚନାଯୋଗ୍ୟ, କୋଲକତାର ଏକ କାର୍ଯ୍ୟକ୍ରମ ସମୟରେ ଜଣେ ସାମ୍ବାଦିକ ତାଙ୍କୁ ମଣିପୁର ହିଂସା ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ, ଗାର୍ସେଟୀ ସାହାଯ୍ୟ କରିବା ନେଇ ମତପୋଷଣ କରିଥିଲେ। ସେହିପରି ସେ କହିଛନ୍ତି, ମଣିପୁରର କିଶୋର ଏବଂ ସେଠାରେ ମୃତକଙ୍କ ଲାଗି ଚିନ୍ତା ପ୍ରକଟ କରିବା ପାଇଁ ଜଣେ ଭାରତୀୟ ହେବା ଜରୁରୀ ନୁହେଁ। ଗଣତନ୍ତ୍ର ଦେଶରେ ଏପରି ଘଟିବା ଦୁଃଖଦଦାୟକ। ସଂଖ୍ୟାଲଘୁମାନଙ୍କର ଅଧିକାର ରକ୍ଷା କରିବା ଏକ କଷ୍ଟସାଧ୍ୟ ବ୍ୟାପାର।

ସେପଟେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟୀଙ୍କ ଏପରି ବିବୃତ୍ତିରେ କଂଗ୍ରେସ ତାଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଯିବା ଉଚିତ୍‌। ଅଗାମୀ ମୌସୁମୀ ଅଧିବେଶନରେ ଆମେ ଏହି ପ୍ରସଙ୍ଗ ଉଠାଇବୁ।

Share