ଆମେରିକାର ପାକିସ୍ତାନ ପ୍ରେମ: ପିଓକେକୁ ନେଇ ଦେଲା ବଡ ବୟାନ

ନୂଆଦିଲ୍ଲୀ,୫।୧୦: ପାକିସ୍ତାନ ସହ ଘନିଷ୍ଠତା ବଢ଼ାଉଛି ଆମେରିକା। ଏହାର ସଦ୍ୟତମ ଉଦାହରଣ ହେଉଛି ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମଙ୍କ ପିଓକେ ଗସ୍ତ। ଏହାକୁ ନେଇ ପାକିସ୍ତାନରେ ଥିବା ଆମେରିକା ଦୂତାବାସର ଏକ ଟୁଇଟ୍‌ ଭାରତରେ ଆଲୋଡନ ସୃଷ୍ଟି କରିଛି। ଟୁଇଟ୍‌ରେ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର)କୁ ‘ଆଜାଦ କଶ୍ମୀର’ ବୋଲି ସମ୍ବୋଧୀତ କରାଯାଇଛି।

ତେବେ ଅକ୍ଟୋବର ୩ରେ ଆମେରିକା ରାଷ୍ଟ୍ରଦୂତ ବ୍ଲୋମ୍‌ ପିଓକେ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ପିଓକେର ମୁଜାଫରାବାଦରେ ଅବସ୍ଥିତ ମହମ୍ମଦ ଅଲି ଜିନ୍ନାଙ୍କ ସ୍ମୃତିରେ ନିର୍ମିତ ଡାକବଙ୍ଗଳାରେ ପହଞ୍ଚିଥିଲେ। ବ୍ଲୋମ୍‌ଙ୍କ ଏହି ଗସ୍ତକୁ ନେଇ ଆମେରିକାର ଇସଲାମାବାଦ ଦୂତାବାସରୁ ଏକ ଟୁଇଟ୍‌ କରାଯାଇଥିଲା। ସେଥିରେ ଏହାକୁ ଆଜାଦ କାଶ୍ମୀର ବୋଲି କୁହାଯାଇଥିଲା।

ଭାରତର ପୂର୍ବତନ ବୈଦେଶିକ ସଚିବ କାନଓ୍ବାଲ ସିବଲ ପିଓକେକୁ ନେଇ କୁହାଯାଇଥିବା ଟୁଇଟ୍‌ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଅନେକ ଥର କହିଛି ଯେ ପିଓକେ ହେଉଛି ଭାରତର ଅଞ୍ଚଳ। ଆମେ ଚାଇନା-ପାକିସ୍ତାନର ଅର୍ଥନୈତିକ କରିଡରକୁ ବିରୋଧ କରୁଛୁ। କାରଣ ଏହା ଆମର ସାର୍ବଭୌମତ୍ୱକୁ କ୍ଷତି ପହଞ୍ଚାଉଛି। ଏହାକୁ ଆମେରିକା ମଧ୍ୟ ସ୍ବୀକାର କରିବା ଉଚିତ ବୋଲି ସେ କହିଛନ୍ତି।

Share