ନୂଆଦିଲ୍ଲୀ,୨।୩: ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ମସ୍କୋର ବର୍ହିବ୍ୟାପାର ମନ୍ତ୍ରୀ ସର୍ଗୋଇ ଲାଭରଭ୍ ଏବଂ ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ଙ୍କ ସାକ୍ଷାତକାର ହୋଇଛି। ବିଶେଷ କଥା ହେଉଛି ଏହି ବୈଠକ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ଜି-୨୦ ବର୍ହିବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ବୈଠକରେ ଭାଗ ନେବାକୁ ରୁଷିଆ ଏବଂ ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀମାନେ ଭାରତରେ ପହଞ୍ଚିଛନ୍ତି। ଏହି ବୈଠକ ପରେ ରୁଷିଆର ବର୍ହିବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଆମେରିକାର ବର୍ହିବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ଙ୍କ ପକ୍ଷରୁ ଯୋଗାଯୋଗ ପାଇଁ ଅନୁରୋଧ କରାଯାଇଛି। ଏହାପରେ ସର୍ଗୋଇ ଲାଭରଭ୍ ଏବଂ ଆଣ୍ଟୋନିଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। ସୂଚନା ଅନୁଯାୟୀ, ଜି-୨୦ ବୈଠକର ଦ୍ୱିତୀୟ ଅଧିବେଶନରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ତେବେ ଦୁଇ ଦେଶର ବର୍ହିବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ କ’ଣ କଥାବାର୍ତ୍ତା ହୋଇଥିଲା, ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।