ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୪୫୦ ନିୟୁତ ଡଲାରର ସସଷ୍ଟେନମେଣ୍ଟ ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ଡେପୁଟି ସେକ୍ରେଟେରୀ ଡୋନାଲ୍ଡ ଲ୍ୟୁଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆପତ୍ତି ଉଠାଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ୨୦୧୮ ରେ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ ଏଭଳି ସହାୟତା ଯୋଗାଇବା ବନ୍ଦ କରିଦେଇଥିଲେ। ଏହା ସତ୍ତ୍ୱେ ବାଇଡେନ ପ୍ରଶାସନର ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଲ୍ୟୁଙ୍କ ସମେତ ଆମେରିକାର ବରିଷ୍ଠ ଅଧିକାରୀଙ୍କ ପାଇଁ ସାମୁଦ୍ରିକ ସୁରକ୍ଷା ସଂଳାପ ପାଇଁ ଭାରତ ଟୁ-ପ୍ଲସ-ଟୁ ବୈଠକ ଆୟୋଜନ କରିଛି।

କେବଳ ଏତିକି ନୁହେଁ, ଡୋନାଲ୍ଡ ଲ୍ୟୁ କ୍ୱାଡ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ବୈଠକକୁ ପ୍ରତିନିଧିତ୍ୱ କରିଥିଲେ। ତେବେ ଏହି ଘଟଣାକ୍ରମ ଭାରତ-ଆମେରିକା ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଭାରତ ସରକାର ଆଶାବାଦୀ ଅଛନ୍ତି। ତଥାପି, ମୋଦି ସରକାର ଦୁଃଖିତ ଯେ ପାକିସ୍ତାନ ସମ୍ବନ୍ଧରେ ଏହି ନୀତି ପରିବର୍ତ୍ତନ ବିଷୟରେ ଆମେରିକା ପୂର୍ବରୁ ସୂଚନା ଦେଇନାହିଁ। ବିଶେଷକରି ଯେତେବେଳେ ଏହାର ପ୍ରତ୍ୟକ୍ଷ ସମ୍ପର୍କ ଭାରତର ସୁରକ୍ଷା ସହିତ ଜଡିତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଡୋନାଲ୍ଡ ଲ୍ୟୁଙ୍କ ସହ ଆୟୋଜିତ ବୈଠକରେ ଭାରତ ଏହି ପ୍ରସଙ୍ଗକୁ କଡାକଡି ଭାବେ ଉଠାଇଛି। ଭାରତ କହିଛି ଯେ ଭାରତର ସୁରକ୍ଷା ପ୍ରସଙ୍ଗରେ ଆମେରିକା ପାରସ୍ପରିକ ବୁଝାମଣା ସହ କାର୍ଯ୍ୟ କରିବା ଉଚିତ। ତେବେ ମୋଦି ସରକାର ଏହି ପ୍ରସଙ୍ଗରେ କୌଣସି ସାର୍ବଜନୀନ ବିବୃତ୍ତି ଦେଇନାହାଁନ୍ତି। ଭାରତର ଆପତ୍ତି ଉପରେ ଆମେରିକା ସ୍ପଷ୍ଟ କରିଛି ଯେ ପାକିସ୍ତାନକୁ ଏପ୍‌-୧୬ର ସସଷ୍ଟେନମେଣ୍ଟ ପ୍ୟାକେଜରେ ନୂତନ ସାମର୍ଥ୍ୟ, ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନର ଅସ୍ତ୍ର ଅନ୍ତର୍ଭୂକ୍ତ କରାଯାଇ ନାହିଁ। ୭ ସେପ୍ଟେମ୍ବରରେ ଇଣ୍ଡୋ-ୟୁଏସ ଟୁ-ପ୍ଲସ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠିଥିଲା।

Share