ସିରିଆରେ ଆମେରିକାର ବୋମାମାଡ, ଇରାନ ଶିବିର ଧ୍ୱଂସ…

ଦାମାସକସ,୧୩।୧୧ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ କ୍ରମାଗତ ଭାବରେ ହମାସ ଶିବିର ଉପରେ ଆକ୍ରମଣ କରୁଛି। ଏହି ସମୟରେ ଆମେରିକା ସିରିଆରେ ଇରାନ ଶିବିରକୁ ଟାର୍ଗେଟ କରିଛି। ଏହି ବେସଗୁଡିକ ଉପରେ ଏହା ହେଉଛି ଆମେରିକାର ତୃତୀୟ ଥର ବୋମାମାଡ। ସୂଚନା ପ୍ରଦାନ କରି ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଆମେରିକୀୟ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣର ଜବାବରେ ସିରିଆରେ ଇରାନର ଦୁଇଟି ଶିବିର ଉପରେ ଆକ୍ରମଣ କରାଯାଇଛି।

ଇରାକ ଏବଂ ସିରିଆରେ ଆମେରିକା ବିରୋଧରେ ଚାଲିଥିବା ଆକ୍ରମଣର ଜବାବରେ ଆମର ସୈନ୍ୟମାନେ ପୂର୍ବ ସିରିଆରେ ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସ ଦ୍ୱାରା ବ୍ୟବହୃତ ଯନ୍ତ୍ରପାତି ଉପରେ ସଠିକ ଷ୍ଟ୍ରାଇକ କରିଥିଲେ ବୋଲି ଅଷ୍ଟିନ ଏକ ବିବୃତ୍ତିରେ କହିଛନ୍ତି। ଅଲବୁ କମଲ ଏବଂ ମାୟାଦିନ ସହରରେ ଅବସ୍ଥିତ ତାଲିମ କେନ୍ଦ୍ର ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହା ପୂର୍ବରୁ ଅକ୍ଟୋବର ୨୬ରେ ମଧ୍ୟ ସିରିଆ ଉପରେ ଆମେରିକା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଆମେରିକାର କହିବାନୁସାରେ, ଇରାକ ଏବଂ ସିରିଆରେ ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ କରାଯାଉଛି। ଅକ୍ଟୋବର ୧୭ ରେ ୪୫ ରୁ ଅଧିକ ଆମେରିକୀୟ କର୍ମଚାରୀ ଆହତ ହୋଇଥିଲେ। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ପରଠାରୁ ଆମେରିକାର କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ବୃଦ୍ଧି ଘଟିଛି। ଏହା ପରେ ଆମେରିକାର ସେନା ପ୍ରତିଶୋଧ ନେଇ ସିରିଆରେ ଥିବା ଟାର୍ଗେଟ ଉପରେ ଆକ୍ରମଣ କରିଥିଲା।

Share