ଆମେରିକା-କାନାଡା ବାଟ ବନ୍ଦ: ସଂଯୋଗ କରୁଥିବା ବ୍ରିଜରେ ବିସ୍ଫୋରଣ, ଭିଡିଓ ଭାଇରାଲ…

ଓ୍ବାଶିଂଟନ,୨୩।୧୧: ଆମେରିକା ଏବଂ କାନାଡାକୁ ସଂଯୋଗ କରୁଥିବା ଏକ ବ୍ରିଜ ଉପରେ ଗାଡି ବିସ୍ଫୋରଣ ହେବାପରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଯାତାୟାତ ସ୍ଥଗିତ ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କର ନିୟାଗ୍ରା ଜଳପ୍ରପାତ ନିକଟରେ ଏକ ଗାଡି ବିସ୍ଫୋରଣ ହେବା ପରେ ରେନବୋ ବ୍ରିଜକୁ ବନ୍ଦ କରିବାକୁ ପଡଛି। ଏହା ଆତଙ୍କବାଦୀ ଆକ୍ରମଣ କି ନାହିଁ ତାହା ଏଫବିଆଇ ତଦନ୍ତ କରୁଛି। ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ) ଏକ ବିବୃତ୍ତିରେ କହିଛି ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି। ଏହି ଅନୁସନ୍ଧାନରେ ଏଫବିଆଇ ସ୍ଥାନୀୟ, ରାଜ୍ୟ ଏବଂ ଫେଡେରାଲ ଏଜେନ୍ସି ସହିତ ସମନ୍ବୟ ରକ୍ଷା କରୁଛି ବୋଲି ବିବୃତ୍ତିରେ କୁହାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ପରେ ସୁରକ୍ଷା ଅଧିକାରୀମାନେ ଏହି ଅଞ୍ଚଳରେ ଥିବା ଚାରିଟି ଆମେରିକା-କାନାଡା ସୀମାକୁ ବନ୍ଦ କରିଛନ୍ତି। ଅଧିକାରୀ କହିଛନ୍ତି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ଜାତୀୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆମେରିକାର ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି କାରଟି ଆମେରିକା ପଟରୁ ଆସୁଥିଲା। ସୀମାରେ କଷ୍ଟମ୍ସ ଷ୍ଟେଶନକୁ ଧକ୍କା ଦେବା ପରେ ଗାଡିରେ ବିସ୍ଫୋରଣ ହୋଇଥିଲା।

ଏହି ଘଟଣା ପରେ ପଶ୍ଚିମ ନ୍ୟୁୟର୍କ ଏବଂ ଅନଟାରିଓ ମଧ୍ୟରେ ଥିବା ଅନ୍ୟ ତିନୋଟି ସେତୁ ନେଇ ସତର୍କତା ଅବଲମ୍ବନ କରାଯାଇଥିଲା। ସୁରକ୍ଷା ଅଧିକାରୀମାନେ ବଫେଲୋ-ନିୟାଗ୍ରା ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ କାର ଯାଞ୍ଚ କରିବା ଆରମ୍ଭ କରିଛନ୍ତି ଏବଂ ଯାତ୍ରୀମାନଙ୍କୁ ଏହି ଘଟଣାରେ ସହଯୋଗ କରିବାକୁ କୁହାଯାଇଛି।

ନିୟାଗ୍ରା ସୀମାନ୍ତ ପରିବହନ ପ୍ରାଧିକରଣ ଟୱିଟରରେ ଏକ ପୋଷ୍ଟରେ କହିଛି ବଫେଲୋ ବିମାନବନ୍ଦରରେ ପହଞ୍ଚୁଥିବା ସମସ୍ତ କାର ସୁରକ୍ଷା ଯାଞ୍ଚ କରୁଛନ୍ତି। ଆମେ ଯାତ୍ରୀମାନଙ୍କର ଅତିରିକ୍ତ ସ୍କ୍ରିନିଂ ମଧ୍ୟ କରୁଛୁ। ବର୍ତ୍ତମାନ ଗାଡି ବିସ୍ଫୋରଣର କାରଣ ଜଣାପଡିନାହିଁ। ବଫେଲୋରେ ଥିବା ଏଫବିଆଇ ଫିଲ୍ଡ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ଏହା ବିସ୍ଫୋରଣର ତଦନ୍ତ କରୁଛି ଏବଂ ଅନ୍ୟ ଅନୁସନ୍ଧାନକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି।

ବିସ୍ଫୋରଣର ଫଟୋ ଏବଂ ଭିଡିଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଯେଉଁଥିରେ ଫୁଟପାଥରେ ଘନ ଧୂଆଁ ଏବଂ ନିଆଁ ଦୃଶ୍ୟମାନ ହେଉଛି। ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କାରରେ ବିସ୍ଫୋରଣ ପରେ ୩୦ ୪୦ ଫୁଟ ଉଚ୍ଚରେ ନିଆଁର ଏକ ବଳୟ ସୃଷ୍ଟି ହୋଇଥିଲା। ସେ ଏପରି ଦୃଶ୍ୟ କେବେ ଦେଖି ନ ଥିଲେ। ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ସେ ଏବଂ ତାଙ୍କ ସାଙ୍ଗ ବ୍ରିଜ ନିକଟରେ ଥିଲେ ଏବଂ କିଛି ଭାଙ୍ଗିବାର ଶୁଣିଥିଲେ। ଏହି ନିଆଁ ଏବଂ କଳା ଧୂଆଁ ଦେଖାଯାଇଥିଲା ।

 

Share