ଆମେରିକାର ଚିନ୍ତା ବଢ଼ିଲା: ରୁଷିଆ ବିକଶିତ କରୁଛି ଆଣବିକ କ୍ଷେପଣାସ୍ତ୍ର, ସାଟେଲାଇଟକୁ ନିମିଷକେ କରିବ ଧ୍ୱଂସ…

ମସ୍କୋ/ଓ୍ବାଶିଂଟନ,୧୮।୨ : ମହାକାଶରେ କୌଣସି ଉପଗ୍ରହକୁ ନଷ୍ଟ କରିବା ଏବେ ଦମ୍ଭବ ହେବ। ପୃଥିବୀରୁ ଏକ କ୍ଷେପଣାସ୍ତ୍ର ମହାକାଶକୁ ଯାଇ ନିର୍ଦ୍ଦିଷ୍ଟ ଉପଗ୍ରହକୁ ନଷ୍ଟ କରିପାରିବ। ରୁଷିଆ ଏଭଳି ଶକ୍ତିଶାଳୀ ଆଣବିକ ମହାକାଶ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହାର ବିସ୍ଫୋରଣ ହେଲେ ଏକ ବିରାଟ ଶକ୍ତି ତରଙ୍ଗ ସୃଷ୍ଟି ହେବ, ଯାହା ଉପଗ୍ରହକୁ ନଷ୍ଟ କରିଦେବ। ଏହା ଦ୍ୱାରା ସେଲଫୋନରେ କଥାବାର୍ତ୍ତା, ବିଲ ପେମେଣ୍ଟ ଏବଂ ଇଣ୍ଟରନେଟ ସର୍ଫିଂକୁ ବ୍ୟାହତ କରିବ। ୟ ରିପୋର୍ଟ ଅନୁଯାୟୀ, ଆମେରିକାର ଗୁପ୍ତଚର ବିଭାଗ ପକ୍ଷରୁ କୁହାଯାଇଛି ରୁଷିଆ ଏଭଳି ବିପଜ୍ଜନକ କ୍ଷେପଣାସ୍ତ୍ର ବିକଶିତ କରିବା ଜାରି ରଖିଛି।

ଆମେରିକାର ହାଉସ ଇଣ୍ଟେଲିଜେନ୍ସ କମିଟିର ଅଧ୍ୟକ୍ଷ ମାଇକ ଟର୍ନର ଏକ ବିବୃତ୍ତିରେ କହିଛନ୍ତି ତାଙ୍କ ପ୍ୟାନେଲ ପାଖରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ସୂଚନା ରହିଛି। ରାଷ୍ଟ୍ରପତି ଜୋ ବାଇଡେନ ସର୍ବସାଧାରଣରେ ନିଶ୍ଚିତ କରିଛନ୍ତି ଟର୍ନର ଏକ ନୂତନ ରୁଷିଆ ଆଣବିକ କ୍ଷେପଣାସ୍ତ୍ର ବିଷୟରେ କହୁଛନ୍ତି। ତେବେ ଗୁପ୍ତଚର ସୂଚନା ଦର୍ଶାଇ ଅଧିକାରୀମାନେ ଏହା ଉପରେ ଆଲୋଚନା କରିବାକୁ ମନା କରି ଦେଇଛନ୍ତି। ଏହି ଅସ୍ତ୍ର ବର୍ତ୍ତମାନ ସୁଦ୍ଧା ତିଆରି ହେଉଛି। ବର୍ତ୍ତମାନ ଏହି ପିବଜ୍ଜନକ ଅସ୍ତ୍ର ପୃଥିବୀ କକ୍ଷରେ ନାହିଁ।

ଖବର ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯଦି ଏହାକୁ ବ୍ୟବହାର କରାଯାଏ ତେବେ ଏହା ପରମାଣୁ ଅସ୍ତ୍ର ଇତିହାସରେ ସବୁଠାରୁ ବିପଦପୂର୍ଣ୍ଣ ସମୟ ହେବ। ଏହା ବୈନନ୍ଦିନ ଜୀବନରେ ଅସୁବିଧା ସୃଷ୍ଟି କରିପାରିବ ଯାହା ପୂର୍ବାନୁମାନ କରିବା କଷ୍ଟକର। ଏହିପରି ଅସ୍ତ୍ରଗୁଡିକ ମହାକାଶ ବିଶେଷଜ୍ଞମାନଙ୍କୁ ଆଣବିକ ଇଏମପି ଭାବରେ ଜଣାଶୁଣା। ଏଗୁଡ଼ିକ ବୈଦ୍ୟୁତିକ ଚୁମ୍ବକୀୟ ଶକ୍ତି ଏବଂ ଅତ୍ୟଧିକ ଚାର୍ଜଯୁକ୍ତ କଣିକାର ଏକ ବନ୍ୟା ଆଣିଥାଏ, ଯାହା ପୃଥିବୀ ପରିକ୍ରମା କରୁଥିବା ଉପଗ୍ରହକୁ ବାଧା ଦେବାକୁ ସକ୍ଷମ ହେବ।

ବାଇଡେନ କହିଛନ୍ତି ରୁଷିଆର ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଯାହା କରୁଛନ୍ତି କିମ୍ବା କରିବେ ତାହା ଉପଗ୍ରହ ଏବଂ ମହାକାଶ ସହିତ ଜଡିତ। ସେ ଉପଗ୍ରହକୁ ସମ୍ଭବତଃ କ୍ଷତି ପହଞ୍ଚାଇବେ। ଦୀର୍ଘ ଦିନ ଧରି ପ୍ରତିରକ୍ଷା ବିଭାଗ ଓଏମପି ସମେତ ଉପଗ୍ରହ ବିରୋଧୀ ଅସ୍ତ୍ରଶସ୍ତ୍ରର ବିକାଶ ଉପରେ ନଜର ରଖିଛି। ଜଣେ ପ୍ରତିରକ୍ଷା ଅଧିକାରୀଙ୍କ କହିବାନୁସାରେ, ପରମାଣୁ କ୍ଷମତାର ବିକାଶ ସମ୍ପର୍କରେ ଗତ କିଛି ମାସ ମଧ୍ୟରେ ଗୁପ୍ତଚର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share