ଆମେରିକାକୁ ଘାରିଛି ଚାଇନାର ଆମ୍ଫିବିୟସ୍‌ ବିମାନ ଚିନ୍ତା…

ଓ୍ବାଶିଂଟନ, ୧୩।୨ : ଆମ୍ଫିବିଆସ ବିମାନ ନିର୍ମାଣ କରିଛି ଚାଇନା। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରୁ ଏକ ଭିଡିଓ ରିଲିଜ ହୋଇଛି ଯେଉଁଥିରେ ବିମାନର ସମସ୍ତ ଚାରୋଟି ଇଞ୍ଜିନ ଏକାସାଙ୍ଗରେ ପରୀକ୍ଷଣ କରାଯାଉଥିବାର ଦେଖାଯାଇଛି। ସମ୍ପ୍ରତି, ଜାପାନର ଶିନାମାଓ୍ବା ୟୁଏସ୍‌-୨ ହେଉଛି ବିଶ୍ୱର ସବୁଠାରୁ ବଡ ଆମ୍ଫିବିୟସ ବିମାନ। ଅତ୍ୟାଧୁନିକ ସେବା ଯୋଗାଇଦେବା କ୍ଷେତ୍ରରେ ଚାଇନାର ନୂତନ ଏଜି-୬୦୦ ଆମ୍ଫିବିୟସ ବିମାନ ଆଗରେ ରହିଛି।

ଚାଇନା ଏଜି-୬୦୦ର ଲ୍ୟାଣ୍ଡିଂକୁ ସଫଳତାର ସହ ପରୀକ୍ଷଣ କରି ବିମାନକୁ ସ୍ଥଳଭାଗରେ ଏବଂ ଜଳଭାଗରେ କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ଟ୍ରେଲର ଚାଇନା ଦେଖାଇଛି। ଏଜି-୬୦୦ ଆମ୍ଫିବିୟସ ବିମାନରେ ଚାରୋଟି ଇଞ୍ଜିନ ଅଛି। ଚାରିଟି ଡବ୍ଲୁୂ୍ୟଜେ-୬ ଟର୍ବୋପ୍ରୋପ ଇଞ୍ଜିନ ଏକାସାଙ୍ଗରେ ଚଲାଇ ଚାଇନା ପାଣି ଲହର ଉପରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଜି-୬୦୦ ଆମ୍ଫିବିୟସ ବିମାନର ନାମ କୁନଲୋଙ୍ଗ ରଖାଯାଇଛି। ଏହି ବିମାନର ଆସେମ୍ବିଲିଂ କାର୍ଯ୍ୟ ୨୬ ଡିସେମ୍ବର ୨୦୨୧ ରୁ ଆରମ୍ଭ ହୋଇଥିଲା। ପରୀକ୍ଷଣ ସମୟରେ ଏଜି-୬୦୦ ବିମାନ ୧୦୦ ଘଣ୍ଟା ଉଡ଼ାଣ ସମାପ୍ତ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏଜି-୬୦୦ ଆମ୍ଫିବିୟସ ବିମାନ ହ୍ରଦର ତଥା ସମୁଦ୍ରରେ ମଧ୍ୟ କାର୍ଯ୍ୟ କରିପାରିବ। ଏହାର ୫୩.୫ ଟନ ଓଜନ ବୋହି ନେବାକୁ ସକ୍ଷମ। ଏହା ଥରକରେ ସର୍ବାଧିକ ୪୫୦୦ କିଲୋମିଟର ଦୂରତା ଉଡିପାରିବ ।

ଆମ୍ଫିବିୟସ ବିମାନ ସାହାଯ୍ୟରେ ଚାଇନା ନିଜର ଯୁଦ୍ଧ ଜାହାଜ, ବେସାମରିକ ଜାହାଜ ଏବଂ ସମୁଦ୍ରରେ ଥିବା ତୈଳ ଟ୍ୟାଙ୍କରରେ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହେବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହାର ସାହାଯ୍ୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇପାରିବ। ବିମାନଟି ଏକାଦିକ୍ରମେ ୧୨ ଘଣ୍ଟା ନିରନ୍ତର ଉଡିପାରିବ। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୫୦୦ କିଲୋମିଟର ରହିଛି। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି।

Share