ମଙ୍କିପକ୍ସକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କଲା ଆମେରିକା, ୬୬୦୦ରୁ ଅଧିକ ସଂକ୍ରମିତ

ୱାଶିଂଟନ,୫ ।୮: ବେଳକୁ ବେଳ ବଢିଲାଣି ମଙ୍କିପକ୍ସ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବାଇଡେନ ପ୍ରଶାସନ ଆମେରିକାରେ ଗୁରୁବାର ମଙ୍କିପକ୍ସର ପ୍ରକୋପକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ବା ପବ୍ଲିକ ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛନ୍ତି । ଦେଶର ଶୀର୍ଷ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ବିଶ୍ୱରେ ୟୁରୋପ ସହ ଆମେରିକାରେ ବି ମଙ୍କିପକ୍ସ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଆମେରିକା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ମଙ୍କିପକ୍ସ ସହ ଲଢିବାକୁ ଅତିରିକ୍ତ ରାଶି ଓ ଉପକରଣ ମିଳିବା ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଆମେରିକାରେ ବୁଧବାର ସୁଦ୍ଧା ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୬,୬୦୦ରୁ ଅଧିକ ହୋଇଛି । ଯେଉଁଥିପାଇଁ ବାଇଡେନ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ସମସ୍ତ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥିବା ପୁରୁଷମାନେ ରହିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ମନ୍ତ୍ରୀ ଜାଭିୟର ବେସେରା କହିଛନ୍ତି, ଆମେ ଏହି ଭାଇରସ ସହ ଲଢିବାକୁ ପ୍ରସ୍ତୁତ ଅଛୁ, ଏହାସହ ସମସ୍ତ ଆମେରିକାବାସୀଙ୍କୁ ମଙ୍କିପକ୍ସ ସଂକ୍ରମଣକୁ ଗୁରୁତର ସହ ଗ୍ରହଣ କରିବାକୁ କୁହାଯାଉଛି ।

Share