‘ଆମେରିକା ପାକିସ୍ତାନକୁ ଫୋନ୍‌ କରେନି, ଧମକ କାହିଁକି ଦେବ’

ଇସଲାମାବାଦ,୧।୪: ପାକିସ୍ତାନରେ ଏବେ ରାଜନୈତିକ ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ଏହି ସଙ୍କଟ ମଧ୍ୟରେ ଇମ୍ରାନ ଏକ ସମାବେଶରେ କହିଥିଲେ, ପାକିସ୍ତାନ ସରକାର ଭାଙ୍ଗିବା ପାଇଁ ଅନ୍ତର୍ଜାତୀୟ ଷଡଯନ୍ତ୍ର ଚାଲିଛି। ଏଥିରେ ସେ ଆମେରିକା ନାମ ମଧ୍ୟ ନେଇଥିଲେ। ଏନେଇ ପାକିସ୍ତାନ ପିପୁଲ୍ସ ପାର୍ଟିର ସଭାପତି ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି, ଆମେରିକା ପାକିସ୍ତାନକୁ ଫୋନ୍‌ ଟିକେ କରେନି, ଧମକ କାହିଁକି ଦେବ?
ବିଲାୱାଲ  କହିଛନ୍ତି, ଇମ୍ରାନ ଖାନଙ୍କ ଦାବି ମିଥ୍ୟା। ଆମେରିକା ପାକିସ୍ତାନକୁ ମଧ୍ୟ ଫୋନ କରେ ନାହିଁ, ଏହା ଆମ ଦେଶ ପାଇଁ କାହିଁକି ବିପଦ ସୃଷ୍ଟି କରିବ? ଇମ୍ରାନ ଦେଶର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ କୌଣସିଟି ପୂରଣ କରିନାହାଁନ୍ତି। ସେ ନିଜ ଚେୟାର ବଞ୍ଚାଇବା ପାଇଁ ସମସ୍ତଙ୍କ ପାଦ ଧରୁଛନ୍ତି। ଏଥି ସହ ଇମ୍ରାନ ଖାନଙ୍କ ଅଭିଯୋଗକୁ ଆମେରିକା ବୈଦେଶିକ ବିଭାଗ ପ୍ରତ୍ୟାଖ୍ୟାନ କରିଛି।
ସୂଚନାଯୋଗ୍ୟ, ଇସଲାମାବାଦରେ ଏକ ବିଶାଳ ଜନସମାବେଶରେ ଇମ୍ରାନ ତାଙ୍କ ପକେଟରୁ ଏକ କାଗଜ ବାହାର କରି ଜନତାଙ୍କ ନିକଟରେ ହାତ ବୁଲାଇ ଏହା ତାଙ୍କ ସରକାରକୁ ହଟାଇବା ପାଇଁ ଏକ ଅନ୍ତର୍ଜାତୀୟ ଷଡଯନ୍ତ୍ରର ପ୍ରମାଣ ବୋଲି ସେ କହିଥିଲେ।

Share