କାବୁଲରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌

କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଫଗାନ୍‌ ପୋଲିସ ପକ୍ଷରୁ କୁହାଯାଇଛି। କାବୁଲସ୍ଥିତ ଖୁଓ୍ବଜା ବୁଘ୍ରାର ଗୁଲାଇ ଅଞ୍ଚଳରେ ଥିବା ଏକ ବାସଭବନରେ ରକେଟ୍‌ ମାଡ଼ ହୋଇଥିବା ଜଣାଯାଇଛି। ବିମାନବନ୍ଦରରେ ବିସ୍ଫୋରଣ ଯୋଜନା କରି ଏକ ଗାଡ଼ିରେ ଏକାଧିକ ଆତ୍ମଘାତୀ ଆତଙ୍କବାଦୀ ଯାଉଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ଆମେରିକା ଡ୍ରୋନ୍‌ ଯୋଗେ ଆକ୍ରମଣ କରିଥିବା କହିଛି। ଏଥିଯୋଗୁ ଏକ ବଡ଼ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି। ଆତ୍ମଘାତୀଙ୍କ ଉପରେ ଆମେରିକା ରକେଟ ମାଡ଼ କରିଥିବା ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଅଗଷ୍ଟ ୩୧ ପରେ ଆଫଗାନିସ୍ତାନରେ କୌଣସି ପ୍ରକାର ଷ୍ଟ୍ରାଇକ୍‌ ପାଇଁ ଆମେରିକାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ଗତ ଗୁରୁବାର କାବୁଲ ବିମାନବନ୍ଦର ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିବା ପରେ ସେଠାରେ ପୁଣି ଆକ୍ରମଣ ଆଶଙ୍କା ଥିବା ନେଇ ଆମେରିକା ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିବା ପୂର୍ବରୁ କହିଥିଲା। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଆଉ ଏକ ବିସ୍ଫୋରଣ ଘଟାଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଥିଲେ। ଆମେରିକା ସୈନ୍ୟ ସତର୍କ ରହିବା ସହ ନାଗରିକମାନେ ବିମାନବନ୍ଦର ଓ ଆଖପାଖ ଅଞ୍ଚଳକୁ ନ ଯିବାକୁ ସେ ଚେତାଇଥିଲେ। ଏ ନେଇ କାବୁଲ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟର ଦକ୍ଷିଣ ଗେଟ୍‌(ଏୟାରପୋର୍ଟ ସର୍କଲ)ରେ ନୂତନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏବଂ ଉତ୍ତର-ପଶ୍ଚିମ ପାର୍ଶ୍ୱରେ ପଞ୍ଜଶିର ପେଟ୍ରୋଲ ଷ୍ଟେଶନ ନିକଟରେ ଥିବା ଫାଟକଠାରେ ବିସ୍ଫୋରଣ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଦୂତାବାସ ପକ୍ଷରୁ ଜାରି ଆଲର୍ଟରେ ଦର୍ଶାଯାଇଛି।

Share