ସମୁଦ୍ର ତଳୁ ବି ମିଶାଇଲ ଆକ୍ରମଣ କରିପାରେ ଚାଇନା, ଟାର୍ଗେଟରେ ଆମେରିକା, ଭାରତ

ବେଜିଂ,୧ ।୮: ଚାଇନା ଲୁଚିଛପି ଦୀର୍ଘ ଓ ସ୍ୱଳ୍ପ ଦୂରଗାମୀ ପାରମ୍ପରିକ ମିଶାଇଲର ଷ୍ଟକ ବୃଦ୍ଧି କରିବାରେ ଲାଗିପଡିଛି । ଆମେରକିା ବିଶେଷଜ୍ଞଙ୍କ ଏକ ରିପୋର୍ଟ ଅନୁଯାୟୀ, ଚାଇନା ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)ଏବେ ସମୁଦ୍ର ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ ମିଶାଇଲ ଗଚ୍ଛିତ କରୁଛି । ଏହା ଭାରତ ମହାସାଗରରେ ଆମେରକିାର ସାମରିକ ଉପସ୍ଥିତି ପାଇଁ ବଡ ବିପଦ ବୋଲି କୁହାଯାଉଛି । ଚାଇନା ପୂର୍ବରୁ ରକେଟ ସେନା ପ୍ରସ୍ତୁତ କରି ରଖିଛି । ଏହି ରିପୋର୍ଟ ଅନୁଯାୟୀ, ପୂର୍ବ ଲଦ୍ଦାଖରେ ଚାଲିଥିବା ସାମରିକ ବିବାଦ ଯୋଗୁ ଚାଇନାର ଏହି ନୂତନ ସାମରିକ ପ୍ରସ୍ତୁତି ଭାରତ ପ୍ରତି ମଧ୍ୟ ବିପଦ ବୃଦ୍ଧି କରିପାରେ ।

ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଚାଇନା ପାଖାପାଖି ୨୦୦୦ ମିଶାଇଲ ପ୍ରସ୍ତୁତ କରି ରଖିଛି । ଏମିତି ୪ କ୍ରୁଜ ମିଶାଇଲର ସର୍ବାଧିକ ସୀମା ୧୮୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ଆମେରିକା ବିଶେଷଜ୍ଞମାନେ କହିଛନ୍ତି ଏହି ସ୍ୱଳ୍ପ ଦୂରଗାମୀ ମିଶାଇଲଗୁଡିକ ଟାର୍ଗେଟକୁ ସଠିକ ଭାବେ ଲଗାଇପାରନ୍ତି । ଚାଇନାରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଶକ୍ତିଶାଳୀ କ୍ରୁଜ ମିଶାଇଲ ବି ରହିଛି ।
ଏହି ରିପୋର୍ଟ ଅନୁଯାୟୀ, ପାରମ୍ପରିକ ଓ ପରମାଣୁ ମିଶାଇଲର ସଞ୍ଚାଳନ ପାଇଁ ଚାଇନା ନୂଆ ମିଶାଇଲ ସିଷ୍ଟମ ପ୍ରସ୍ତୁତ କରିଛି । ଏହି ନୂଆ ସିଷ୍ଟମ ବିଷୟରେ ଏବେ ପର୍ଯ୍ୟନ୍ତ ଚିନ୍ତା କରାଯାଇ ନାହିଁ ।

Share