୨୦୧୯ରୁ ନିଖୋଜ ଥିବା ନାବାଳିକା ମିଳିଲେ ସିକ୍ରେଟ୍‌ ରୁମ୍‌ରୁ

ନ୍ୟୁୟର୍କ,୧୭।୨: ପ୍ରାୟ ୩ ବର୍ଷ ହେଲା ନିଖୋଜ ଥିବା ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ଘରର ସିଡି ତଳେ ଥିବା ଏକ ସିକ୍ରେଟ୍‌ ରୁମ୍‌ରୁ ଲୁଚିଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ଆମେରିକାର ନ୍ୟୁୟର୍କ ଷ୍ଟେଟ୍‌ରୁ।

ପାଇସ୍‌ଲି ଶଲଟିଜ ୨୦୧୯ରେ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ତାଙ୍କ ବାପା ମା’ଙ୍କୁ ସନ୍ଦେହ ଘେରକୁ ନେଇଥିଲା ପୋଲିସ। କିନ୍ତୁ ନାବାଳିକାଙ୍କ ପତ୍ତା ମିଳି ନ ଥିଲା। ନିଖୋଜ ହୋଇଥିବା ସ୍ଥାନଠାରୁ ୨୪୦ କିମି ଦୂର ଏକ ଘରେ ଥିବା ସିକ୍ରେଟ୍‌ ରୁମ୍‌ରେ ନାବାଳିକାଙ୍କୁ ରଖାଯାଇଥିବା ପୋଲିସକୁ ଟିପ୍‌ ମିଳିଥିଲା। ନ୍ୟୁୟର୍କର ସ୍ପେନସର ସହରର ସେହି ଘରେ ଚଢ଼ାଉ କରିଥିଲା ପୋଲିସ।

“ସର୍ଚ୍ଚ ଆରମ୍ଭ କରିବାର ଘଣ୍ଟାକ ପରେ ସିକ୍ରେଟ୍‌ ମେକଶିଫ୍ଟ ରୁମ୍‌ରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲୁ। ଘରର ବେସମେଣ୍ଟକୁ ଯିବା ପାଇଁ ସିଡି ତଳେ ସେହି ରୁମ୍‌ ଥିଲା। ଅନ୍ଧାରୁଆ ଏବଂ ଓଦଳିଆ ରୁମ୍‌ରୁ ନାବାଳିକା ଓ ତାଙ୍କ ଅପହରଣକାରୀ କିମ୍ବର୍ଲି କୁପର ଶଲଟିଜଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ନିର୍ଯାତନାର କୌଣସି ପ୍ରମାଣ ନାହିଁ ” ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଅପହରଣକାରୀ ତଥା ନାବାଳିକାଙ୍କ ବାପା ମା’ଙ୍କ ବିରୋଧରେ ଶିଶୁର ଜୀବନର ବିପଦରେ ପକାଇବା ପାଇଁ ଓ ଆଇନଗତ କାର୍ଯ୍ୟରେ ବାଧା ଦେବା ପାଇଁ ମାମଲା ରୁଜୁ କରାଯାଇଛି।

Share