ଇରାନ ଆକ୍ରମଣ ପରେ ଆକ୍ସନ ମୋଡରେ ଆମେରିକା

ଓ୍ବାଶିଂଟନ,୧୫।୪: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଆମେରିକା ପରିସ୍ଥିତି ଉପରେ କଡା ନଜର ରଖିଛି। ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତୁର୍କୀ ବୈଦେଶିକ ମନ୍ତ୍ରୀ ହକନ ଫିଦାନଙ୍କ ସହ କଥା ହୋଇଛନ୍ତି।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ଇରାନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ତୁର୍କୀ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି। ତୁର୍କୀ ନେତାଙ୍କ ସହ ବାର୍ତ୍ତାଳାପରେ ଆଣ୍ଟୋନି ବ୍ଲିଙ୍କେନ ତାଙ୍କ ଉଦ୍ୟମ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖପାତ୍ର ମାଥ୍ୟୁ ମିଲର ଟୁଇଟରରେ ପୋଷ୍ଟ କରିଛନ୍ତି ଯେ ଆଣ୍ଟୋନି ବ୍ଲିଙ୍କେନ ତୁର୍କୀ ବୈଦେଶିକ ମନ୍ତ୍ରୀଙ୍କ ସହ ଇରାନ ଆକ୍ରମଣ ବିଷୟରେ କଥା ହୋଇଛନ୍ତି। ଏହି ଅଞ୍ଚଳରେ ଆକ୍ରମଣ ଅଧିକ ବୃଦ୍ଧି ନହେବା ପାଇଁ ଉଦ୍ୟମ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହା ବ୍ୟତୀତ ଆମେରିକାର ଅଧିକାରୀ ଇରାନ ଇସ୍ରାଏଲ ଉପରେ ଆକ୍ରମଣ ପରେ ଇଜିପ୍ଟ, ଜୋର୍ଡାନ ଏବଂ ସୌଦି ଆରବରେ ଥିବା ପ୍ରତିପକ୍ଷଙ୍କ ସହ ମଧ୍ୟ କଥା ହୋଇଛନ୍ତି। ଏହି ଅଞ୍ଚଳରେ ଉତ୍ତେଜନା ଏବଂ କୂଟନୈତିକ ପ୍ରତିକ୍ରିୟାକୁ ଏଡାଇବା ଉପରେ ବ୍ଲିଙ୍କେନ ଗୁରୁତ୍ୱାରୋପ କରିଥିଲେ।
ସୌଦି ବୈଦେଶିକ ମନ୍ତ୍ରୀ ଫୈସଲ ବିନ ଫରହାନଙ୍କ ସହ ବାର୍ତ୍ତାଳାପ ସମ୍ପର୍କରେ ସୂଚନା ଦେଇ ମୁଖପାତ୍ର ମିଲର କହିଛନ୍ତି ଯେ ଇରାନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ବ୍ଲିଙ୍କେନ ତାଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ ବ୍ଲିଙ୍କେନ ଜୋର୍ଡାନର ବୈଦଶିକ ମନ୍ତ୍ରୀଙ୍କ ସହ ଆଞ୍ଚଳିକ ତିକ୍ତତା ହ୍ରାସ କରିବାକୁ ଆଲୋଚନା କରିଛନ୍ତି।

Share