ମସ୍କୋ,୨୮।୧୨ : ୟୁକ୍ରେନ ସଙ୍କଟ ପାଇଁ ବିଶ୍ୱର ଅଧିକାଂଶ ଦେଶ ରୁଷିଆକୁ ଦାୟୀ କରୁଥିବାବେଳେ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ବର୍ତ୍ତମାନ ଏଥିପାଇଁ ଆମେରିକାକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ପାଇଁ ଆମେରିକା ଦାୟୀ। କାରଣ ଆମେରିକା ଅର୍ଥନୈତିକ ଏବଂ ସାମରିକ-ରଣନୀତିକ ଦୃଷ୍ଟିରୁ ଏଥିରୁ ଅଧିକ ଲାଭ କରିବାକୁ ଚାହୁଁଛି।
ରୁଷିଆର ନ୍ୟୁଜ ଏଜେନ୍ସି ଟାସକୁ ଦେଇଥିବା ଏକ ସାକ୍ଷାତକାରରେ ଲାଭରୋଭ କହିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଯେପରି ପାଶ୍ଚାତ୍ୟ ଦେଶଗୁଡିକ ନିୟନ୍ତ୍ରଣ କରୁଛନ୍ତି ତାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ୟୁକ୍ରେନ ସଙ୍କଟ ପାଇଁ ଆମେରିକା ଦାୟୀ। ନିଜର ଲାଭ ପାଇଁ ଯୁଦ୍ଧ ବନ୍ଦ କରିବା ପରିବର୍ତ୍ତେ, ଏହି ସମସ୍ତ ଦେଶ ଜେଲେନସ୍କିଙ୍କୁ ଉତ୍ତେଜିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହା ଆଉ ରହସ୍ୟ ନୁହେଁ ଯେରୁଷିାକୁ ପଛକୁ ଠେଲିବା ଆମେରିକା ଏବଂ ଏହାର ନାଟୋ ସହଯୋଗୀମାନଙ୍କ ରଣନୀତିକ ଲକ୍ଷ୍ୟ। ସେ କହିଛନ୍ତି ଯେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସମ୍ଭବ ନୁହେଁ। ଆମେରିକା ନିଜ ଉଦ୍ଦେଶ୍ୟରେ କେବେ ମଧ୍ୟ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।