ସ୍ତ୍ରୀଙ୍କୁ ଗୁଳି କରିବା ପରେ ସହକର୍ମୀଙ୍କୁ ମେସେଜ୍‌ ପଠାଇଲେ ବିଚାରପତି

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ରକ୍ତପାତରେ ପହଞ୍ଚିଛି। ବାସ୍ତବରେ, ଜେଫ୍ରି ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ଖାନେକୁ ବାହାରକୁ ଯାଇଥିଲେ, ସେହି ସମୟରେ ହଠାତ୍‌ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଘରକୁ ଆସିବା ପରେ ମଧ୍ୟ ପୁଣିଥରେ ଯୁକ୍ତି ଆରମ୍ଭ ହେଲା। ଯାହା ପରେ କ୍ରୋଧିତ ହୋଇ ତାଙ୍କ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିଲେ। ସୂଚନାଯୋଗ୍ୟ, ଜେଫ୍ରି କାଲିଫର୍ନିଆର ଅରେଞ୍ଜ କାଉଣ୍ଟି ସୁପିରୟର କୋର୍ଟର ଜଣେ ବିଚାରପତି ଅଟନ୍ତି।

ମଙ୍ଗଳବାର ଏକ କୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ଅରେଞ୍ଜ କାଉଣ୍ଟି ଡେପୁଟି ଜିଲା ଓକିଲ ଖ୍ରୀଷ୍ଟୋଫର ଆଲେକ୍ସ କୋର୍ଟଙ୍କୁ କହିଛନ୍ତି ଯେ, ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ସେମାନଙ୍କ ଘର ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲେ, ଯେଉଁଠାରେ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଘଟଣା ଅଗଷ୍ଟ ୨’ରେ ଘଟିଥିଲା। ଦୁହେଁ ଘରକୁ ଫେରିବା ପରେ ଯୁକ୍ତିତର୍କ ବଢିବାରୁ କ୍ରୋଧିତ ହୋଇ ବିଚାରପତି ତାଙ୍କ ପିସ୍ତଲ ବାହାର କରି ଗୁଳି ଚଳାଇଥିଲେ।

Share