ଭାରତର କୂଟନୀତିକୁ ପ୍ରଶଂସା କଲା ଆମେରିକୀୟ ଗଣମାଧ୍ୟମ

ଓ୍ବାଶିଂଟନ,୧୦।୯: ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ସମ୍ବନ୍ଧୀୟ ଖବର ସମଗ୍ର ବିଶ୍ୱର ଗଣମାଧ୍ୟମରେ ପ୍ରକାଶ ପାଇଛି। ଆମେରିକୀୟ ଗଣମାଧ୍ୟମ ମଧ୍ୟ ଏହାକୁ ମୁଖ୍ୟ ଖବର ଭାବେ ସ୍ଥାନିତ କରିଛି । ଆମେରିକୀୟ ଗଣମାଧ୍ୟମରେ ଲେଖାଯାଇଥିବା ପ୍ରବନ୍ଧରେ ଭାରତୀୟ କୂଟନୀତିକୁ ପରୋକ୍ଷରେ ପ୍ରଶଂସା କରାଯାଇଛି। ଜି-୨୦ ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧକୁ ନେଇ ମିଳିତ ଘୋଷଣାନାମାରେ ସହମତି ପ୍ରକାଶ କରିବା ଚ୍ୟାଲେଞ୍ଜ ଥିଲା, କିନ୍ତୁ ଭାରତ କୂଟନୈତିକ କୌଶଳ ସହିତ ଏହି କଠିନ କାର୍ଯ୍ୟକୁ ସଫଳ କରିଛି। ତେବେ ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆକୁ ଉତ୍ତରଦାୟୀ ନ କରିବାରୁ ମିଳିତ ଘୋଷଣାକୁ ନେଇ ଆମେରିକାର ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଛି।
ଦି ନ୍ୟୁୟର୍କ ଟାଇମ୍ସରେ ଏକ ଆର୍ଟିକିଲରେ ଦର୍ଶାଯାଇଛି ଯେ, ନୂଆଦିଲ୍ଲୀରେ ଜି-୨୦ ସମ୍ମିଳନୀର ମିଳିତ ଘୋଷଣାନାମାରେ ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ହୋଇଥିବା ନିଷ୍ଠୁର ଆଚରଣକୁ ନିନ୍ଦା କରାଯାଇ ନାହିଁ। ୟୁକ୍ରେନବାସୀଙ୍କ ଦୁଃଖକୁ ନେଇ ଦୁଃଖ ପ୍ରକାଶ ପାଇଥିବାବେଳେ ଗତ ବର୍ଷ ବାଲିରେ ଇଣ୍ଡୋନେସିଆର ଜି-୨୦ ଘୋଷଣାନାମା ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କରିଥିଲା ଏବଂ ରୁଷିଆକୁ ୟୁକ୍ରେନ ମାଟିରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ଆହ୍ବାନ ଦେଇଥିଲା।
ଆମେରିକୀୟ ଗଣମାଧ୍ୟମ କହିଛି ଯେ, ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରୁ ଯାହା ହାସଲ କରାଯାଇଛି, ବିଶ୍ୱ ଋଣ ପ୍ରସଙ୍ଗରେ ଗରିବ ଦେଶର ସମସ୍ୟାକୁ ଦୂର କରିବା ପାଇଁ ବିଶ୍ୱ ବ୍ୟାଙ୍କ ଭଳି ଅନୁଷ୍ଠାନରେ ସଂସ୍କାର ଆଣିବାକୁ ସହମତି ପ୍ରକାଶ ପାଇଛି। ଏଥିସହ ଆଫ୍ରିକୀୟ ୟୁନିଅନକୁ ଜି-୨୦ରେ ସାମିଲ କରାଯାଇଥିଲା ଏବଂ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବାକୁ ଦୁର୍ବଳ ଦେଶମାନଙ୍କୁ ଅଧିକ ଅର୍ଥ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

Share