ତାଇଓ୍ବାନ୍‌କୁ ସୁରକ୍ଷା ଦେବ ଆମେରିକା ସେନା

ଓ୍ବାଶିଂଟନ୍‌/ବେଜିଂ,୨୦।୯: ତାଇଓ୍ବାନ୍‌ ପ୍ରସଙ୍ଗରେ ଆମେରିକା-ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଓ୍ବାନ୍‌ ଚାଇନା ପଲିସିକୁ ମାନୁଥିବା ଆମେରିକା ଚାଇନା-ତାଇଓ୍ବାନ ପ୍ରସଙ୍ଗରେ ଆଭିମୁଖ୍ୟ ବଦଳାଉଥିବା ଦେଖିବାକୁ ମିଳୁଛି। ଗତ ଅଗଷ୍ଟ ୩ରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରଠାରୁ ଚାଇନା ରାଗିପାଚି ନିଆଁ ହୋଇଛି। ଏହି ସ୍ବୟଂଶାସିତ ଦ୍ୱୀପରାଷ୍ଟ୍ରକୁ ବେଜିଂ ନିଜର କହିବା ସହ ଆକ୍ରମଣ କରି ତାହାକୁ ମୂଳ ଭୂଖଣ୍ଡରେ ମିଶାଇବାକୁ ଯଥାର୍ଥ ବୋଲି ଦାବି କରିଆସୁଛି। ଗଣତନ୍ତ୍ରର ଦେଶ ତାଇଓ୍ବାନ ପ୍ରଣାଳୀରେ ଚାଇନା କ୍ରମାଗତ ସମରାଭ୍ୟାସ କରି ଡରାଇବାକୁ ଚେଷ୍ଟା କରୁଥିବାବେଳେ ଆମେରିକା ପୁଣି ତାଇପେଇ ସପକ୍ଷରେ ବାହାରିଛି। ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ଆମେରିକା ସେନା ଏହି ଦ୍ୱୀପକୁ ରକ୍ଷା କରିବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି।
ମିଡିଆ ସିବିଏସ୍‌କୁ ଏକ ସାକ୍ଷାତକାର ଦେବା ବେଳେ ବାଇଡେନ୍‌ଙ୍କୁ ତାଇଓ୍ବାନ ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। ଯଦି ଚାଇନା ଆକ୍ରମଣ କରେ, ତେବେ ଆମେରିକା କ’ଣ ତାଇଓ୍ବାନ୍‌କୁ ରକ୍ଷା କରିବ କି ବୋଲି ପଚରାଯାଇଥିଲା। ଉତ୍ତରରେ ବାଇଡେନ୍‌ କହିଥିଲେ, ହଁ, ନିଶ୍ଚିତ। ଯଦି ଅପ୍ରତ୍ୟାଶିତ ଭାବେ ତାଇଓ୍ବାନ ଉପରେ ଆକ୍ରମଣ ହୁଏ ତେବେ ଆମେରିକା ସେନା ଏହି ଦ୍ୱୀପର ସୁରକ୍ଷା ପାଇଁ ବାହାରିବ। ତାଇଓ୍ବାନକୁ ସୁରକ୍ଷା ଦେବା ପାଇଁ ସୈନ୍ୟଙ୍କ ସମେତ ଆମେରିକା ନାଗରିକମାନେ ମଧ୍ୟ ବାହାରିବେ। ୟୁକ୍ରେନ୍‌କୁ ରୁଷିଆ ଆକ୍ରମଣରୁ ରକ୍ଷା କରିବା ପାଇଁ ଆମେରିକା ଏହାର ସୈନ୍ୟ ପଠାଇବାକୁ ମନା କରିଥିଲା। ତାଇଓ୍ବାନ କ୍ଷେତ୍ରରେ ମଧ୍ୟ ଓ୍ବାଶିଂଟନ୍‌ ସାମରିକ ସହାୟତା ପାଇଁ ନିଜ ସୈନ୍ୟ ପଠାଇବା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେବେ ବାଇଡେନ୍‌ ତାଇଓ୍ବାନ ପ୍ରସଙ୍ଗରେ ଅଦ୍ୟାବଧି ସବୁଠୁ ସ୍ପଷ୍ଟ ମତ ରଖିଥିବା କୁହାଯାଉଛି। ତାଇପେଇ ପ୍ରତି ଆମେରିକା ନୀତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ହ୍ବାଇଟ୍‌ହାଉସ୍‌ର ଜଣେ ମୁଖପାତ୍ର କହିଛନ୍ତି। ତାଇପେଇକୁ ବାଇଡେନ୍‌ଙ୍କ ଖୋଲା ସମର୍ଥନ ଏବଂ ମଜଭୁତ ସୁରକ୍ଷା ପ୍ରତିବଦ୍ଧତା ପାଇଁ ତାଇଓ୍ବାନ ଧନ୍ୟବାଦ ଦେଇଛି।

Share