ମୃତ୍ୟୁର ୧୨୮ବର୍ଷ ପରେ ଚୋରଙ୍କର ଅନ୍ତିମ ସଂସ୍କାର

ଓ୍ବାଶିଂଟନ୍‌,୮।୧୦: ଆମେରିକାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଦେଶରେ ୧୨୮ ବର୍ଷ ପରେ ଏକ ଚୋରର ମୃତଦେହକୁ ଶନିବାର ସମାଧି ଦିଆଯାଇଛି। ଏହି ଚୋରଜଣଙ୍କର ୧୯ ନଭେମ୍ବର ୧୮୯୫ରେ ଆମେରିକାର ପେନସିଲଭାନିଆର ଏକ କାରାଗାରରେ କିଡନୀ ଫେଲ ଯୋଗୁ ମୃତ୍ୟୁ ଘଟିଥିଲା। ଚୋରର ପ୍ରକୃତ ପରିଚୟ ଜଣା ପଡି ନ ଥିବାରୁ ସେ ଗିରଫ ହେବା ସମୟରେ କର୍ତ୍ତୃପକ୍ଷ ତାଙ୍କର ଏକ ନକଲି ନାମ ଦେଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ‘ଷ୍ଟୋନମ୍ୟାନ ୱିଲି’ ବୋଲି ଜାଣିଥିଲେ। ଜେଲର ଅଧିକାରୀମାନେ ଓ୍ବିଲିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟଙ୍କୁ ଦୀର୍ଘ ସମୟ ଧରି ଖୋଜିଥିଲେ। ଯେତେବେଳେ ସେମାନେ ସମ୍ପର୍କୀୟଙ୍କୁ ଖୋଜିବାରେ ଅସଫଳ ହୋଇଥିଲେ ତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ଗୃହକୁ ହସ୍ତାନ୍ତର କରାଯାଇଥିଲା।

ଶବଦାହ ବିଶେଷଜ୍ଞ ତାଙ୍କ ମୃତଦେହକୁ ମମି ଭାବେ ସଂଗ୍ରହାଳୟରେ ରଖିଥିଲେ। ୧୯୮୫ରେ ମୃତ୍ୟୁପରେ ଶବଦାହକାରୀଙ୍କ ଦ୍ୱାରା ସଂଗୃହିତ ମୃତଦେହ ଅନ୍ତିମ ସଂସ୍କାର ଗୃହରେ ପ୍ରଦର୍ଶିତ ହୋଇଥିଲା। ଏହି କାରଣରୁ ଗତ କିଛି ବର୍ଷ ଧରି ଓ୍ବିଲି ଚୋରଜଣଙ୍କର ଶରୀର ମଧ୍ୟ ପ୍ରଦର୍ଶନର ଏକ ଅଂଶ ହୋଇ ରହିଥିଲା। ତାଙ୍କ ଶରୀର ପ୍ରାୟ ୧୨୮ ବର୍ଷ ପର୍ଯ୍ୟନ୍ତ ପ୍ରଦର୍ଶିତ ହୋଇଥିଲା।
ୱିଲିଙ୍କ ଶେଷ ଯାତ୍ରା ଅକ୍ଟୋବର ୭ ଶନିବାର ଶେଷ ହୋଇଛି। ତାଙ୍କୁ ଏକ ସ୍ଥାନୀୟ ଶ୍ମଶାନରେ ସମାଧି ଦିଆଯାଇଛି ଏବଂ ତାଙ୍କର ପ୍ରକୃତ ନାମ ତାଙ୍କ କବରରେ ଲେଖାଯାଇଛି।

Share