ୱାଶିଂଟନ,୧୩ ।୧୧: ଆଫଗାନିସ୍ତାନ ଉପରେ ଆମେରିକା(କଂଗ୍ରେସ)ର ଏକ ରିପୋର୍ଟରେ ପାକିସ୍ତାନକୁ ତୀବ୍ର ନିନ୍ଦା କରାଯାଇଛି । ଉକ୍ତ ରିପୋର୍ଟରେ ଦର୍ଶାଯାଇଛି କି ଆଫଗାନିସ୍ତାନ ସହ ଜଡିତ ପ୍ରସଙ୍ଗରେ ପାକିସ୍ତାନ ଦୀର୍ଘଦିନ ଧରି ସକ୍ରିୟ ରହି ଆସିଛି ଓ ଅନେକ କ୍ଷେତ୍ରରେ ବିନାଶକାରୀ ଭୂମିକା ତୁଲାଇବା ସହ ଅସ୍ଥିରତା ସୃଷ୍ଟି କରୁଛି । ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି କି ପାକିସ୍ତାନ ଖୋଲାଖୋଲି ଭାବେ ତାଲିବାନକୁ ସମର୍ଥନ କରୁଛି ।
ଦ୍ୱିପାକ୍ଷିକ କଂଗ୍ରେସ ଅନୁସନ୍ଧାନ ସେବା(ସିଆର୍ଏସ୍)ର ଏକ ରିପୋର୍ଟରେ କୁହାଯାଇଛି, ଯଦି ପାକିସ୍ତାନ, ରୁଷିଆ ଓ ଚାଇନା ଭଳି ଅନ୍ୟ ଦେଶ ତଥା କତ୍ତାର ଭଳି ଆମେରିକାର ସହଯୋଗୀମାନେ ତାଲିବାନକୁ ଅଧିକ ମାନ୍ୟତା ଦେବାକୁ ଆଗେଇ ଆସନ୍ତି ତେବେ ଏହା ଆମେରିକାକୁ ପୃଥକ କରିପାରେ । ଏହାସହ ତାଲିବାନ ଆମେରିକାର ଚାପକୁ ପ୍ରତିରୋଧ ତଥା ଏଡାଇବାକୁ ଅଧିକ ସୁଯୋଗ ପାଇବ । ସୂଚନାଯୋଗ୍ୟ, ବିଭିନ୍ନ ପ୍ରସଙ୍ଗରେ ସାଂସଦଙ୍କୁ ସୂଚନା ଦେବାଲାଗି ସିଆର୍ଏସ୍ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଯାହାଦ୍ୱାରା ସେମାନେ ନିଷ୍ପତ୍ତି ନେଇପାରିବେ । ଏହା ଆମେରିକା କଂଗ୍ରେସର ସରକାରୀ ଚିନ୍ତାଧାରା କିମ୍ବା ରିପୋର୍ଟ ଭାବେ ବିବେଚନା କରାଯାଇ ନ ଥାଏ ।
Posted inଅନ୍ତର୍ଜାତୀୟ