ଚାଇନାର ଗୁପ୍ତଚର ବେଲୁନ କୌଣସି ଗୁପ୍ତ ତଥ୍ୟ ସଂଗ୍ରହ କରିନାହିଁ: ଆମେରିକା

ଓ୍ବାଶିଂଟନ,୩୦।୬: ଚଳିତ ବର୍ଷ ଫେବୃୟାରୀରେ ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ବାସ୍ତବରେ, ଆମେରିକାର ରାଜ୍ୟ ମୋଣ୍ଟାନା ଆକାଶରେ ଏକ ଚାଇନାର ବେଲୁନ ଦେଖିବାକୁ ମିଳିଥିଲା। ଚାଇନା ଏହାକୁ ଶେଷ ପର୍ଯ୍ୟନ୍ତ ପାଣିପାଗ ସୂଚନା ସଂଗ୍ରହ କରୁଥିବା ଏକ ବିପଥଗାମୀ ବେଲୁନ ବୋଲି ସ୍ପଷ୍ଟ କରିଥିଲା। ତେବେ ଏହାକୁ ଆମେରିକାର ବାୟୁସେନା ତଳକୁ ଖସାଇଥିଲା। ବର୍ତ୍ତମାନ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ପ୍ରକାଶ କରିଛି ଯେ, ଚାଇନାର ଗୁପ୍ତଚର ବେଲୁନ କୌଣସି ଗୁପ୍ତଚର ସଂଗ୍ରହ କରିନାହିଁ।

ଏହି ଚାଇନାର ବେଲୁନ ଗୁପ୍ତଚର ପାଇଁ ଥିଲା କି ନାହିଁ ତାହା ପେଣ୍ଟାଗନ ସ୍ପଷ୍ଟ ଭାବେ କହିନାହିଁ। ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ବ୍ରିଗେଡିୟର୍‌ ଜେନେରାଲ ପ୍ୟାଟ ରାଇଡର୍‌ କହିଛନ୍ତି ଯେ, ଏହି ବେଲୁନ କୌଣସି ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ନାହିଁ କିମ୍ବା ଏହାକୁ ଚାଇନା ପଠାଇ ନାହିଁ। ସେ କହିଛନ୍ତି, ଆମେ ଜାଣୁ ଯେ ଏହି ବେଲୁନରେ ସୂଚନା ସଂଗ୍ରହ କରିବାର କ୍ଷମତା ଥିଲା। କିନ୍ତୁ ଏହା ଆମର ବିଶ୍ଳେଷଣ ଯେ ଆମେରିକାର ଆକାଶ ଦେଇ ଯିବାବେଳେ ଏହି ବେଲୁନ କୌଣସି ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରି ନାହିଁ।

 

Share