ତାଇଓ୍ବାନକୁ ବାରୁଦ ଗଦାରେ ପରିଣତ କରିବାକୁ ଆମେରିକାର ଯୋଜନା…

ତାଇପେ,୬।୧୦ : ଚାଇନାର ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଆମେରିକା ନୂଆ ରଣନୀତି ଅନୁସାରେ ତାଇୱାନକୁ ଏକ ବାରୁଦ ଗଦାରେ ପରିଣତ କରିବା ଲାଗି ଯୋଜନା ପ୍ରସ୍ତୁତି ଆରମ୍ଭ କରିଛି। ଆମେରିକା ଯୋଜନା କରିଛି ଯେ ତାଇୱାନରେ ବିପୁଳ ପରିମାଣର ଗୁଳି ଗୋଳା ଓ ଅସ୍ତ୍ରଶସ୍ତ୍ର ମହଜୁଦ ରଖାଯିବ। ଯାହାଦ୍ୱାରା ଆମେରିକାର ସାହାଯ୍ୟ ବିନା ଦୀର୍ଘ ଦିନ ଧରି ଚାଇନା ଆକ୍ରମଣକୁ ପ୍ରତିହତ କରାଯାଇ ପାରିବ। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ ଆମେ ତାଇୱାନକୁ ଏବେ ଆବଶ୍ୟକ ସହାୟତା ଯୋଗାଇ ଦେବୁ।

ଆମେରିକାର ଅଧିକାରୀମାନେ ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ଚାଇନ ନୌସେନା ଏବଂ ବାୟୁସେନା ଅଭ୍ୟାସକୁ ଦୃଷ୍ଟିରେ ରଖି ସେମାନେ ତାଇୱାନ ପାଖରେ ଏକ ବିରାଟ ଅସ୍ତ୍ରଶସ୍ତ୍ର ଭଣ୍ଡାର ମହଜୁଦ କରିବାକୁ ଚେଷ୍ଟା କରୁଛନ୍ତି। ଚାଇନା ସୈନ୍ୟବାହିନୀର ଅଭ୍ୟାସ ଦର୍ଶାଉଛି ଯେ ସେମାନେ ତାଇୱାନକୁ ଆକ୍ରମଣ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏଭଳି ପରିସ୍ଥିତିରେ ତାଇୱାନକୁ ଆମେରିକାର ସୈନ୍ୟ ବା ଏହାର ସହଯୋଗୀମାନେ ହସ୍ତକ୍ଷେପ ନକରିବା ପର୍ଯ୍ୟନ୍ତ ଚାଇନା ସହିତ ଯୁଦ୍ଧ କରିବାକୁ ପଡ଼ିବ।

ବିଶ୍ଳେଷକଙ୍କ ଅନୁଯାୟୀ, ତାଇୱାନକୁ ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ପରିଣତ କରିବା ପାଇଁ ଆମେରିକାର ରଣନୀତିରେ ମଧ୍ୟ ଅନେକ ଆହ୍ବାନ ରହିଛି। ଆମେରିକା ଏବଂ ଏହାର ସହଯୋଗୀମାନେ ବର୍ତ୍ତମାନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି। ଫଳରେ ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର ଭଣ୍ଡାର ଖାଲି ହୋଇଯାଇଛି। ଆମେରିକା ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କଲେ ଚାଇନା କିପରି ପ୍ରତିକ୍ରିୟା ଦେବ ତାହା ମଧ୍ୟ ଜଣା ନାହିଁ।

ଆମେରିକାର ଅଧିକାରୀମାନେ ବର୍ତ୍ତମାନ କେଉଁ ପ୍ରକାରର ଏବଂ କେତେ ଅସ୍ତ୍ରଶସ୍ତ୍ର ତାଇୱାନକୁ ଗୁପ୍ତ ଭାବରେ ବିକ୍ରୟ କରାଯିବା ଉଚିତ ତାହା ସ୍ଥିର କରିବାକୁ ଆଲୋଚନା କରୁଛନ୍ତି। କିଭଳି ଲୁଚାଛପାରେ ଏହାକୁ ତାଇଓ୍ବାନକୁ ଯୋଗାଇ ଦିଆଯିବ ସେ ନେଇ ରଣନୀତି ପ୍ରସ୍ତୁତ ହେଉଛି।

Share