ଚାଇନା ରାଷ୍ଟ୍ରପତିଙ୍କୁ ଭେଟିବାର କିଛି ଘଣ୍ଟା ପରେ ତାଙ୍କୁ ଏକଛତ୍ରବାଦୀ ଶାସକ କହିଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୧୬।୧୧: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀରେ ଯୋଗଦେବାକୁ ଆମେରିକା ଯାଇଛନ୍ତି। ଏହି ସମୟରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଏହି ବୈଠକରେ ଉଭୟ ନେତା ଚାଇନା ଏବଂ ଆମେରିକା ମଧ୍ୟରେ ମତଭେଦ ଦୂର କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ତାଇୱାନ ଏବଂ ବାଣିଜି୍ୟକ ପ୍ରତିବନ୍ଧକ ଯୋଗୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି।
ଏସିଆ-ପାସିଫିକ ଅର୍ଥନୈତିକ ସହଯୋଗ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ପୁଣି ଥରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। ସାନ ଫ୍ରାନ୍ସିସ୍କୋରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ବାଇଡେନ କହିଛନ୍ତି, ସେ (ସି ଜିନପିଙ୍ଗ) କମ୍ୟୁନିଷ୍ଟ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଦେଶର ଶାସନ ଭାର ଗ୍ରହଣ କରିଛନ୍ତି। ତାଙ୍କ ସରକାର ଆମ ସରକାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେଥିପାଇଁ ମୁଁ ମୋର ବିବୃତ୍ତି (ଏକଛତ୍ରବାଦୀ)ମନ୍ତବ୍ୟ ଦୋହରାଉଛି।
ଏହାପୂର୍ବରୁ ବାଇଡେନ ଜୁନ୍‌ ୨୦୨୩ରେ ଚାଇନା ରାଷ୍ଟ୍ରପତିଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଥିଲେ। ଏହା ପରେ ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତି ଉପରେ ଚାଇନା ଆପତ୍ତି ଉଠାଇଥିଲା।

Share