ବାତ୍ୟା ଫିଓନା ଯୋଗୁ ପୁର୍ତ୍ତୋ ରିକୋରେ ଏମରଜେନ୍ସି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି, ଆସିପାରେ ବଡ ଧରଣର ବନ୍ୟା

ୱାଶିଂଟନ,୧୯ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ପୁର୍ତ୍ତୋ ରିକୋ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ପୁର୍ତ୍ତୋ ରିକାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଯୋଗୁ ଏହି ଘୋଷଣା କରାଯାଇଛି । ହ୍ୱାଇଟ ହାଉସ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ କୁହଯାଇଛି, ଜରୁରୀକାଳୀନ ଘୋଷଣାନାମା ସଂଘିୟ ଜରୁରୀକାଳୀନ ପ୍ରବନ୍ଧନ ଏଜେନ୍ସି(ଫେମା)କୁ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକୁ ସମନ୍ୱିତ କରିବା ଏବଂ ଜରୁରୀକାଳୀନ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବାକୁ ଅନୁମତି ଦେଇଛି ।
ସୂଚନାଯୋଗ୍ୟ, ଆଟଲାଣ୍ଟିକ ମହାସାଗରେ ବୁଧବାର ଏକ ଶକ୍ତିଶାଳୀ ଘୂର୍ଣ୍ଣିବଳୟର କେନ୍ଦ୍ର ସୃଷ୍ଟି ହୋଇଥିଲା । ଏହାର ନାମକରଣ ଫିଓନା ରଖାଯାଇଛି । ପୁର୍ତ୍ତି ରିକୋରେ ଏହି ଘୂର୍ଣ୍ଣିବଳୟକୁ ନେଇ ଚେତାବନୀ ଜାରି କରାଯାଇଛି । ଏହାଦ୍ୱାରା ପୁର୍ତ୍ତି ରିକୋରେ ପ୍ରବଳ ବର୍ଷ ସହ ବଡ ଧରଣର ବନ୍ୟା ଆସିପାରେ ବୋଲି ଅନୁମାନ କରାଯାଇଛି । ଏହାସହ ଉଚ୍ଚ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ପୁର୍ତ୍ତୋ ରିକୋରେ ୧୨-୧୬ ଇଞ୍ଚ ବର୍ଷା ଅନୁମାନ କରାଯାଇଥିବା ବେଳେ ୧-୩ ଫୁଟର ଜୁଆର ଆସିପାରେ ବୋଲି କହିଛି ପାଣିପାଗ ବିଭାଗ । ଏହାସହ ଉପକୂଳ ଅଞ୍ଚଳରେ ପବନର ବେଗ ବି ଯଥେଷ୍ଟ ଅଧିକ ରହିବ ବୋଲି କୁହାଯାଇଛି ।

Share