ଜି -୨୦ ସମ୍ମିଳନୀରେ ଜିନପିଙ୍ଗ ସାମିଲ ହେବା ନେଇ ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ୍‌,୧।୯: ସେପ୍ଟେମ୍ବର ୯-୧୦ରେ ଭାରତରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବେ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଜି -୨୦ ବୈଠକରେ ଜିନପିଙ୍ଗଙ୍କ ସାମିଲ ସମ୍ପର୍କରେ ଚାଇନା ଏବଂ ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ତାଙ୍କ ଚାଇନା ପ୍ରତିପକ୍ଷ ସି ଜିନପିଙ୍ଗ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଆଶା ପ୍ରକଟ କରିଛନ୍ତି।

ଆସନ୍ତା ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ବାଇଡେନ ଦୁଇରୁ ଅଧିକ ବିଶ୍ୱ ନେତାଙ୍କ ସହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରିପୋର୍ଟରୁ ଜଣାପଡିଛି ଯେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗଦେବା ସମ୍ଭବ ନୁହେଁ।

ଗୁରୁବାର ଯେତେବେଳେ ଖବରଦାତାମାନେ ବାଇଡେନଙ୍କୁ ପଚାରିଥିଲେ ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ବୈଠକରେ ଯୋଗଦେବେ ବୋଲି ଆଶା କରୁଛନ୍ତି କି? ଉତ୍ତରରେ ବାଇଡେନ କହିଛନ୍ତି, ମୁଁ ଆଶା କରୁଛି ସେ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବେ।

Share