ଯୁଦ୍ଧ ପାଇଁ ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୨।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେବାରେ ଲାଗିଛି। ଯୁଦ୍ଧ ପରିସ୍ଥିତି ଉପୁଜିବା ଆଶଙ୍କାରେ ୟୁକ୍ରେନ ନିକଟରେ ଥିବା ନାଟୋ ଦେଶରେ ଆମେରିକା ନିଜର ଆହୁରି ସୈନ୍ୟ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆହୁରି ୩ହଜାର ଆମେରିକୀୟ ସୈନ୍ୟଙ୍କୁ ପୋଲାଣ୍ଡ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ୧.୭ ହଜାର ଆମେରିକୀୟ ସୈନ୍ୟ ପୋଲାଣ୍ଡରେ ମୁତୟନ ରହିଛନ୍ତି। ଇତିମଧ୍ୟରେ ଶନିବାର ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ବାଇଡେନଙ୍କ ମଧ୍ୟରେ ଫୋନ ଜରିଆରେ ବାର୍ତ୍ତାଳାପ ହେବାର ଅଛି। ଅନ୍ୟପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ନାଟୋ ଦେଶ ଚିନ୍ତିତ ରହିଛି ବୋଲି ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ସେମାନଙ୍କ ଚିନ୍ତାକୁ ହ୍ରାସ କରିବା ଲାଗି ଆମେରିକା ନାଟୋ ଦେଶରେ ସେନାଙ୍କ ମୁତୟନକୁ ବୃଦ୍ଧି କରିଛି ଉକ୍ତ ଅଧିକାରୀ କହିଛନ୍ତି। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଅନୁଯାୟୀ, ୩ହଜାର ସୈନ୍ୟଙ୍କୁ ପୋଲାଣ୍ଡକୁ ପଠାଯାଉଥିବା ବେଳେ ସେମାନେ ଆସନ୍ତା ସପ୍ତାହର ଆରମ୍ଭରେ ପୋଲାଣ୍ଡରେ ପହଞ୍ଚିବେ। ଏହା ପୂର୍ବରୁ ଉକ୍ତ ସୈନ୍ୟ ଉତ୍ତର କାରୋଲିନାର ଫୋର୍ଟ ବ୍ରାଗରେ ମୁତୟନ ହୋଇଥିଲେ ବୋଲି ପେଣ୍ଟାଗନ ସୂଚନା ଦେଇଛି।

 

Share