ଜେଲେନ୍‌ସ୍କିଙ୍କୁ ବାଇଡେନ୍‌ଙ୍କ ବଡ଼ ଝଟ୍‌କା

ଓ୍ବାଶିଂଟନ୍‌/କିଭ୍‌,୩୧।୧: ଗତ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ସହ ମୁକାବିଲା ପାଇଁ ୟୁକ୍ରେନ କ୍ରମାଗତ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର, ବିମାନ ଏବଂ ଟ୍ୟାଙ୍କ ପଠାଇବାକୁ ଅନୁରୋଧ କରୁଛି। ଇତିମଧ୍ୟରେ ୟୁକ୍ରେନକୁ ଆମେରିକାରୁ ଏକ ବଡ଼ ଝଟ୍‌କା ଲାଗିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ ପଛକୁ ଫେରିଛନ୍ତି। ଆମେରିକାର ରାଷ୍ଟ୍ରପତି ସୋମବାର ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପଠାଇବାକୁ ମନା କରିଦେଇଛନ୍ତି। ଆୟୋଜିତ ହୋଇଥିବା ଏକ ଖବରଦାତା ସମ୍ମିଳନୀରେ ବାଇଡେନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ୟୁକ୍ରେନକୁ ଏଫ୍‌-୧୬ ଯୁଦ୍ଧ ବିମାନ ପଠାଇବେ କି ନାହିଁ। ଏହାର ଉତ୍ତରରେ ସେ କହିଛନ୍ତି, ‘ନା’। ରୁଷିଆ ବିରୋଧରେ ଯୁଦ୍ଧରେ ନିଜ ସୈନ୍ୟଙ୍କୁ ସୁଦୃଢ଼ କରିବା ଲାଗି ୟୁକ୍ରେନ ରାଷ୍ଟ୍ରପତି ଯୁଦ୍ଧ ବିମାନ ପାଇଁ ଦାବି କରିଥିଲେ। ସୂଚନାଯୋଗ୍ୟ, ୨୦୨୨ ଫେବୃଆରୀ ୨୪ରୁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କ୍ରମାଗତ ଭାବେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ଉଭୟ ପକ୍ଷର ସୈନ୍ୟମାନଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନର ଅନେକ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

 

Share