ସେନ ଫ୍ରାନ୍ସିସ୍କୋରେ ଭାରତୀୟ ଦୂତବାସ ଉପରେ ହୋଇଥିବା ଆକ୍ରମଣର ଯାଞ୍ଚ କରିବ ଏନଆଇଏ

ଓ୍ବାଶିଂଟନ୍‌,୪।୭: ଖଲିସ୍ତାନର ସମର୍ଥକମାନେ ପୁଣିଥରେ ଆମେରିକାର ସେନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତବାସ ଉପରେ ଆକ୍ରମଣ କରିଛନ୍ତି। ସୂଚନାନୁସାରେ, ଏନଆଇଏ ମଧ୍ୟ କିଛି ମାସ ପୂର୍ବରୁ ଦୂତାବାସ ସାମ୍ନାରେ ହୋଇଥିବା ଆକ୍ରମଣର ଯାଞ୍ଚ କରୁଛି। ସେହି ଆକ୍ରମଣରେ ଯେଉଁମାନେ ଜଡିତ ଥିଲେ ସେମାନେ ମଧ୍ୟ ଜୁଲାଇ ୨ ଆକ୍ରମଣରେ ଜଡିତ ହେବାର ସମସ୍ତ ସମ୍ଭାବନା ରହିଛି। ସେନ ଫ୍ରାନ୍ସିସ୍କୋ ସମେତ କାନାଡା ଏବଂ ବ୍ରିଟେନର ଭାରତୀୟ ଅନୁଷ୍ଠାନମାନଙ୍କୁ ଖଲିସ୍ତାନ ସମର୍ଥକଙ୍କ ପ୍ରଦର୍ଶନ ଉପରେ ସଜାଗ ରହିବାକୁ କୁହାଯାଇଛି। ସୂଚନାନୁସାରେ, ଏନଆଇଏ ଦଳ ଖବ୍‌ଶୀଘ୍ର ଆମେରିକା ଯାଇପାରେ।

ସୂଚନାନୁସାରେ, ରବିବାର ସେନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଖଲିସ୍ତାନ ସମର୍ଥକଙ୍କ ତରଫରୁ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା। ଆମେରିକାର ସ୍ଥାନୀୟ ଚ୍ୟାନେଲ ରିପୋର୍ଟ କରିଛି ଯେ ଖଲିସ୍ତାନୀ ମୌଳିକବାଦୀମାନେ ରାତି ୧.୩୦ରୁ ୨.୩୦ମଧ୍ୟରେ ଭାରତୀୟ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ, କିନ୍ତୁ ସେନ ଫ୍ରାନ୍ସିସ୍କୋ ଅଗ୍ନିଶମ ବିଭାଗ ଏହାକୁ ଶୀଘ୍ର ଲିଭାଇ ଦେଇଥିଲେ।

Share