Categories: ଜାତୀୟ

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ଭାରତ ଗସ୍ତରେ ଆସିପାରନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍‌। ଆସନ୍ତା ସପ୍ତାହରେ ସେ ଆସିବା ନେଇ ଭାରତ ଓ ଆମେରିକା ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଉଭୟ ପକ୍ଷରୁ ଗସ୍ତର ତାରିଖ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବିବରଣୀ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ଭାବେ ଆଣ୍ଟୋନିଙ୍କ ଏହା ପ୍ରଥମ ଭାରତ ଗସ୍ତ। ତେବେ ଏଭଳି ଗସ୍ତ ଉପରେ କୌଣସି ସରକାରୀ ମନ୍ତବ୍ୟ ସାମ୍ନାକୁ ଆସିନାହିଁ। ଚଳିତ ବର୍ଷ ଶେଷରେ ଓ୍ବାଶିଂଟନ୍‌ରେ କ୍ୱାଡ ଗୋଷ୍ଠୀର ନେତାଙ୍କ ଉପସ୍ଥିତିରେ ଏକ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଚାହୁଁଛି ଆମେରିକା। ତେଣୁ ଶିଖର ସମ୍ମିଳନୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ହେଉଛି ଏହି ଗସ୍ତର ମୂଳ ଉଦ୍ଦେଶ୍ୟ। ଏହି କ୍ୱାଡରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ରହିଛି। ତେବେ ପ୍ରଶାନ୍ତ ମହାସାଗରରେ ବ୍ୟବହାରିକ ସହଯୋଗକୁ ପ୍ରତ୍ସୋହିତ କରିବା ସହ ଓ୍ବାଶିଂଟନ୍‌ର ପ୍ରତିବଦ୍ଧତା ବିଷୟରେ ଏକ ଦୃଢ଼ ସଙ୍କେତ ଦେବା ପାଇଁ ଏହି ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଚିନ୍ତା କରୁଛି ଆମେରିକା।

Share