ଟେକ୍ସାସ ଶପିଂ ମଲରେ ଗୁଳିକାଣ୍ଡ, ଅତିକମରେ ୯ ମୃତ

ଓ୍ବାଶିଂଟନ,୭।୫: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବଢିବାରେ ଲାଗିଛି। ସଦ୍ୟତମ ଘଟଣା ଘଟିଛି ଟେକ୍ସାସରେ। ମିଡିଆ ରିପୋର୍ଟ ଅନୁଯାୟୀ, ଟେକ୍ସାସର ଏକ ଶପିଂ ମଲରେ ଗୁଳିକାଣ୍ଡ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସହ କେତେଜଣ ଶିଶୁ ଓ ଅନେକେ ଆହତ ହୋଇଥିବା ଜଣାପଡିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଟେକ୍ସାସର ଏଲେନରେ ଏଲେନ ପ୍ରିମିୟମ ଆଉଟଲେଟ୍ସ ମଲରେ ସନ୍ଦିଗ୍ଧ ଆକ୍ରମଣକାରୀ ଗୁଳି ଚଳାଇଥିଲେ। ପୋଲିସ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା ସହ ସନ୍ଦିଗ୍ଧ ଶୁଟରଙ୍କୁ ଗୁଳି କରିଛି।
ଏଲେନ ପୋଲିସ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ଟେକ୍ସାସରେ ଏଲେନ ପ୍ରିମିୟମ ଆଉଟଲେଟ ମଲରେ ଜଣେ ସନ୍ଦିଗ୍ଧ ବନ୍ଧୁକଧାରୀଙ୍କ ଗୁଳିମାଡରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏପଟେ ୭ ଜଣ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି, ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ଟୁଇଟରରେ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି କି ଏବେ ମଲେରେ କୌଣସି ବିପଦ ନାହିଁ। ଏଲେନ ପୋଲିସ ବିଭାଗର ସୂଚନା ଅନୁଯାୟୀ, ଅଧିକାରୀମାନେ ବନ୍ଧୁକଧାରୀଙ୍କୁ ନିହତ କରିଛନ୍ତି।

Share