ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ୨୨ବର୍ଷୀୟ ରୋବୋର୍ଟ କ୍ରିମୋ। ପୋଲିସ ତାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ, ହାଇଲାଣ୍ଡ ପାର୍କ ନିକଟରେ ଥିବା ଏକ ଦୋକାନ ଛାତରେ ଛିଡ଼ା ହୋଇ ଜଣେ ଦୁର୍ବୃତ୍ତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୯ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସ୍ବାଧୀନତା ଦିବସ ନେଇ ହାଇଲାଣ୍ଡ ପାର୍କରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି। ବନ୍ଧୁକ ହିଂସା ରୋକିବା ପାଇଁ ନିକଟରେ ଆମେରିକା କଂଗ୍ରେସରେ ‘ବନ୍ଧୁକ ନିୟନ୍ତ୍ରଣ’ ବିଲ୍ ପାରିତ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ଏଥିରେ ସ୍ବାକ୍ଷର କରି ଉକ୍ତ ବିଧେୟକକୁ ଆଇନ୍ରେ ପରିଣତ କରିଥିଲେ।