ଗର୍ଭପାତ ଅଧିକାର ହରାଇଲେ ମହିଳା

ଓ୍ବାଶିଂଟନ,୨୫ା୬: ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗର୍ଭପାତକୁ ଆଇନଗତ ମଞ୍ଜୁରୀ ପ୍ରଦାନକାରୀ ଅର୍ଦ୍ଧଶତାବ୍ଦୀ ପୁରୁଣା ନିଷ୍ପତ୍ତିକୁ ପଲଟାଇ ଦେଇଛନ୍ତି। ଫଳରେ ଏଣିକି ଗର୍ଭପାତ କରାଇବା ମହିଳାଙ୍କ ଆଇନଗତ ଅଧିକାର ରହିବ କି ନାହିଁ ସେନେଇ ରାଜ୍ୟଗୁଡ଼ିକ ନିଜସ୍ବ ସ୍ବତନ୍ତ୍ର ଆଇନ ପ୍ରଣୟନ କରିପାରିବେ। ସଦ୍ୟ ରାୟକୁ କେତେକ ରାଜ୍ୟରେ ସ୍ବାଗତ କରାଯାଇଥିବାବେଳେ ଅନ୍ୟ କିଛି ରାଜ୍ୟରେ ଏହାକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରାୟକୁ ବିରୋଧ କରିଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ପ୍ରଶଂସା କରିଛନ୍ତି।

ଜେନ୍‌ ରୋ ନାମରେ ପରିଚିତ ମହିଳାଙ୍କ ମୂଳ ନାମ ହେଉଛି ମେକ୍‌କୋର୍ଭି। ସେ ଦୁଇ ସନ୍ତାନର ଜନନୀa ହୋଇଥିବାବେଳେ ୧୯୬୯ରେ ଧାରଣ କରିଥିବା ତୃତୀୟ ଭ୍ରୂଣକୁ ଗର୍ଭପାତ କରାଇବାକୁ ଚାହୁଁଥିଲେ। କିନ୍ତୁ ସେ ଟେକ୍ସାସ୍‌ରେ ରହୁଥିବାରୁ ଏଥିରେ ଅସୁବିଧା ହୋଇଥିଲା। କାରଣ ଟେକ୍ସାସ୍‌ରେ କେବଳ ମା’ଙ୍କ ଜୀବନ ରକ୍ଷା ପାଇଁ ଜରୁରୀ ହେଲେ ଏହାକୁ ଆଇନତଃ ସ୍ବୀକୃତି ମିଳୁଥିଲା। ରୋଙ୍କ ଓକିଲମାନେ ଫେଡେରାଲ କୋର୍ଟରେ ସ୍ବାମୀ ହେନେରି ଓ୍ବେଡ୍‌ଙ୍କ ବିରୋଧରେ ପିଟିଶନ ଦାଖଲ କରିଥିଲେ। ପରେ ଟେକ୍ସାସ୍‌ କୋର୍ଟ ଏହି ମାମଲାକୁ ସୁପ୍ରିମକୋର୍ଟକୁ ଶୁଣାଣି ପାଇଁ ସ୍ଥାନାନ୍ତର କରିଥିଲେ। ୧୯୭୩ରେ ସୁପ୍ରିମକୋର୍ଟ ରୋଙ୍କ ସପକ୍ଷରେ ରାୟ ଦେଇଥିଲେ। ଏଥିପାଇଁ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ସହାୟତା ନିଆଯାଇଥିଲା, ଯାହାକି ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭଧାରଣ/ଗର୍ଭପାତର ସ୍ବାଧୀନତା ଦେଇଥାଏ। ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଦେଶରେ ଏହାକୁ ନେଇ ଆଣ୍ଟାଇ ଆବର୍ସନ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ମିସିସିପିରେ ୧୫ ସପ୍ତାହରୁ ଅଧିକ ଅବଧି ଭ୍ରୂଣର ଗର୍ଭପାତ ଉପରେ ଜାରି କଟକଣାକୁ ଡବ୍ସ ବନାମ ଜ୍ୟାକ୍‌ସନ ମାମଲାରେ ଓମେନ୍ସ ହେଲ୍‌ଥ ଅର୍ଗାନାଇଜେଶନ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମାମଲାର ବିଚାର ଚାଲିଥିବାବେଳେ ଗତ ମେ’ ୨ ରାତିରେ ୯୮ ପୃଷ୍ଠା ସମ୍ବଳିତ ମତାମତ ପ୍ରଘଟ ହୋଇଥିଲା। ଫଳରେ ଗର୍ଭପାତ ଅଧିକାର ହରାଇବା ଆଶଙ୍କା କରି ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ସୁପ୍ରିମକୋର୍ଟ ଅର୍ଦ୍ଧଶତାବ୍ଦୀ ପୁରୁଣା ରାୟକୁ ବଦାଇଦେଇଛନ୍ତି। ୬:୩ ଅନୁପାତରେ ସଂଖ୍ୟାଗରିଷ୍ଠ ରାୟ ରାଜ୍ୟ ସରକାରମାନଙ୍କ ସପକ୍ଷରେ ଦେଇଛନ୍ତି। ଏଥିସହ ଗର୍ଭପାତକୁ ନେଇ ମହିଳାମାନଙ୍କୁ ମିଳିଥିବା ସାମ୍ବିଧାନକ ଅଧିକାର ଶେଷ କରିଛନ୍ତି।

Share