ୟୁକ୍ରେନକୁ ଏକ ଅରବ ଡଲାର ସେନା ସହାୟତା ସହ, ଅତିରିକ୍ତ ୪.୫ ବିଲିୟନ ଦେବ ଆମେରିକା

ୱାଶିଂଟନ,୯ ।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ପ୍ରାୟ ୭ ମାସ ହେବ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ସମୟରେ ବିଶ୍ୱର ଅନେକ ଦେଶ ୟୁକ୍ରେନକୁ ବଡ ଧରଣର ସେନା ସହାୟତା ଯୋଗାଇ ଦେଇଛନ୍ତି । ସୋମବାର ଆମେରିକା ୟୁକ୍ରେନ ପାଇଁ ନୂଆ ସେନା ସହାୟତା ଘୋଷଣା କରିଛି । ଏଥିପାଇଁ ଆମେରିକା ୟୁକ୍ରେନକୁ ଏକ ଅରବ ଡଲାର ଦେବାକୁ ଘୋଷଣା କରିଛି । ନୂଆ ଘୋଷଣା ଅନୁଯାୟୀ, ଆମେରିକା ୟୁକ୍ରେନ ସେନାଙ୍କୁ ପ୍ରତିରକ୍ଷା ବିଭାଗରୁ ସିଧା ରକେଟ, ଗୋଳା-ବାରୁଦ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ, ଯାହା ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ସହାୟତା ଅପେକ୍ଷା ସବୁଠାରୁ ଅଧିକ ବୋଲି କୁହାଯାଉଛି ।
ଆମେରିକା ପକ୍ଷରୁ ଦିଆଯାଉଥିବା ସେନା ସହାୟତାରେ ହାଇ ମୋବିଲିଟି ଆର୍ଟିଲରି ରକେଟ ସିଷ୍ଟମ(ହିମାରସ) ସହ ହଜାର ଆର୍ଟିଲରି ରାଉଣ୍ଡ, ମୋର୍ଟାର ସିଷ୍ଟମ ଓ ଅନ୍ୟ ଗୋଳା-ବାରୁଦ ରହିଛି । ସେନା କମାଣ୍ଡରଙ୍କ ସୂଚନା ମୁତାବକ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହିମାରସ ଓ ଆର୍ଟିଲରି ସିଷ୍ଟମ ମହତ୍ୱପୂର୍ଣ୍ଣ ଭୂମିକା ନେଇଛି । ଅନ୍ୟପଟେ ୟୁକ୍ରେନର ଆନ୍ତରିକ ବ୍ୟବସ୍ଥାକୁ ସୂଚାରୁ ରଖିବାକୁ ଆମେରିକା ଏହାକୁ ୪.୫ ଅରବ ଡଲାର ଅତିରିକ୍ତ ଆର୍ଥିକ ସହାୟତା ଦେବ । ଏହି ଅର୍ଥ ଆମେରିକାର ଅର୍ଥ ମନ୍ତ୍ରଣାଳୟ ବିଶ୍ୱ ବ୍ୟାଙ୍କ ସହ ମିଶି ଦେବ ।

Share