ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ ଆମେରିକା ଖୁବ୍ଶୀଘ୍ର ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହେବ ବୋଲି ଜଣାପଡିଛି। ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଓ ବ୍ରାୟନ କହିଛନ୍ତି ସେପ୍ଟେମ୍ବର ଓ ଅକ୍ଟୋବରରେ ଆମେରିକା ଚାଇନା ପ୍ରସଙ୍ଗକୁ ନେଇ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହୋଇପାରେ। ଏଥିରେ ଚାଇନାକୁ କିପରି ବୁଦ୍ଧି ଶିଖାଇ ହେବ ସେ ସମ୍ପର୍କରେ ଆଲୋଚନା କରାଯିବ। ବ୍ରାୟନ କହିଛନ୍ତି ଚାଇନା ବେଳକୁ ବେଳେ ଆକ୍ରମକ ସ୍ଥିତିକୁ ଚାଲି ଯାଉଛି ହେଲେ ଆମେରିକାକୁ ବି ଜଣାଅଛି କେମିତି ଏହାର ସାମ୍ନା କରିବାକୁ ପଡିବ। ସେ କହିଛନ୍ତି ଏସବୁ ଦେଶର ଅଧିକାରୀଙ୍କ ସହ କଥା ହେବା ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ହିନ୍ଦ ସାଗରରେ ଚାଇନାର ବଢୁଥିବା ପ୍ରଭାବ ଅସହ୍ୟ ହେଲାଣି। ତେବେ ଆଗକୁ ଆମେରିକା କୂଟନୀତି, ସେନା ଓ ଆର୍ଥିକ ସ୍ତର ବୁଦ୍ଧି ଲଗାଇ ଚାଇନାକୁ ସାମ୍ନା କରିବାକୁ ଯାଉଛି।