Categories: ଜାତୀୟ

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ କରିବ ଆମେରିକା

ନୂଆଦିଲ୍ଲୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶନିବାର ରାତିରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଏମ୍‌କ୍ୟୁ-୯ବି ଡ୍ରୋନ୍‌, ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ସମେତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆସନ୍ତା ଫେବୃଆରୀରେ ଆମେରିକା ୩୧ଟି ଏମ୍‌କ୍ୟୁ-୯ବି ପ୍ରିଡେଟର ଡ୍ରୋନ୍‌ ଭାରତକୁ ବିକ୍ରି କରିବ। ୩.୯୯ ବିଲିୟନ ଡଲାରର ଏହି ପ୍ରସ୍ତାବକୁ ଓ୍ବାଶିଂଟନ ଅନୁମୋଦନ କରିଛି। ସେଥିରୁ ଭାରତୀୟ ନୌସେନାକୁ ୧୫ଟି ସି ଗାର୍ଡିଆନ୍‌ ଡୋନ୍‌ ମିଳିବାକୁ ଥିବାବେଳେ ବାୟୁସେନା ଏବଂ ସ୍ଥଳସେନାକୁ ୮ଟି ଲେଖାଏ ସ୍କାଏ ଗାର୍ଡିଆନ୍‌ ଡ୍ରୋନ୍‌ ମିଳିବ। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକା ସମର୍ଥନ ଜଣାଇବ ବୋଲି ବାଇଡେନ୍‌ କହିଛନ୍ତି। ଏଥିସହିତ ଆମେରିକା ସହାୟତାରେ କୋଲକାତାରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ପାଇଁ ଆଲୋଚନା ହୋଇଛି।
କ୍ୱାଡ୍‌ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଭାରତ ଏବଂ ଆମେରିକା ମଧ୍ୟରେ ବିସ୍ତୃତ ବୈଶ୍ୱିକ ରଣନୀତିକ ସହଭାଗିତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ରୁପାର ଟ୍ରେନ୍‌ ମଡେଲ ଏବଂ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ଙ୍କୁ ଏକ ପଶ୍ମିନା ଶାଲ୍‌ ଉପହାର ଦେଇଛନ୍ତି।

Share