ରୁଷିଆ ସହିତ ବାଣିଜ୍ୟ ସମ୍ପର୍କ ନ ରଖିବାକୁ ଭାରତକୁ କହିବ ଆମେରିକା…

ଓ୍ବାଶିଂଟନ,୨୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଏହି ସମୟରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତର ପ୍ରତିରକ୍ଷା ଉପକରଣର ବିବିଧକରଣ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ମନ୍ତ୍ରଣାଳୟ କହିଛି ଭାରତର ସାମରିକ ଉପକରଣର ବିବିଧକରଣ ଉପରେ ଆମେରିକାର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ଶିଳ୍ପ ସହଯୋଗ ପାଇଁ ୱାଶିଂଟନର ପ୍ରସ୍ତାବ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପକୁ ଆହୁରି ଏକୀଭୂତ କରିବ ବୋଲି ବିଶ୍ୱାସ ରହିଛି। ଏଥି ସହିତ ରୁଷିଆ ସହ ସମ୍ପର୍କ ବନ୍ଦ କରିବାକୁ ଭାରତକୁ ମନ୍ତ୍ରଣାଳୟ ଅନୁରୋଧ କରିଛି।

ପେଣ୍ଟାଗନ ଡେପୁଟି ପ୍ରେସ ସଚିବ ସାବରିନା ସିଂ ଗଣମାଧ୍ୟମକୁ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକାରେ ସ୍ବାଗତ କରୁଛୁ। ତାଙ୍କ ଗସ୍ତକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ନିକଟରେ ମୋଦିଙ୍କ ଗସ୍ତ ସମ୍ପର୍କରେ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଭାରତ ଗସ୍ତ କରିଥିଲେ। ସେ ତାଙ୍କ ପ୍ରତିପକ୍ଷ ରାଜନାଥ ସିଂଙ୍କୁ ଭେଟିଥିଲେ। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ପିଏମ ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏଗୁଡିକ ଘୋଷଣା କରାଯିବ। ସିଂ କହିଛନ୍ତି ଆମେ ଭାରତର ଯନ୍ତ୍ରପାତିର ବିବିଧକରଣ ଉପରେ ଦୃଢ଼ ଭାବରେ ବିଶ୍ୱାସ କରୁ।

ବିଗତ ଏକ ଦଶନ୍ଧି ମଧ୍ୟରେ, ଶିଳ୍ପ ସହଯୋଗ ପାଇଁ ଆମର ଆଭିମୁଖ୍ୟ ଆମେରିକା ଏବଂ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଆହୁରି ଏକୀଭୂତ କରିବ । ଏହି ସମୟରେ ସାବରିନା ରୁଷିଆ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ରୁଷିଆ ସହିତ ବାଣିଜ୍ୟ କାରବାରକୁ ଏଡ଼ାଇବା ପାଇଁ ଆମେରିକା ଏହାର ସମସ୍ତ ଅଂଶୀଦାର ଏବଂ ସହଯୋଗୀମାନଙ୍କୁ ଅନୁରୋଧ କରିଥାଏ। ମସ୍କୋ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ସମ୍ପର୍କରେ ସେ କହିଛନ୍ତି ରୁଷିଆ ସହିତ କାରବାର ନ କରିବାକୁ ଆମେ ସବୁବେଳେ ସମସ୍ତଙ୍କୁ ଅନୁରୋଧ କରିବୁ।

ସେ କହିଛନ୍ତି ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭିନ୍ନ ବିଷୟ। ରୁଷିଆ ସହିତ ବାଣିଜ୍ୟ ନ କରିବାକୁ ଭାରତକୁ ଆମେରିକା ଅନୁରୋଧ କରିବ। ଅବଶ୍ୟ, ଯେତେବେଳେ ଭାରତ କଥା ଆସେ, ଆମେ ସେମାନଙ୍କ ଉପକରଣ ସହିତ ବିବିଧକରଣ ଏବଂ ଏକୀକରଣ କରିବାକୁ ନିଶ୍ଚିତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ସମ୍ଭାବ୍ୟ ପ୍ରତିରକ୍ଷା କାରବାର ବିଷୟରେ ପଚରାଯିବାରୁ ସିଂ କହିଛନ୍ତି ହ୍ବାଇଟ ହାଉସ କିମ୍ବା ଅନ୍ୟ କୌଣସି ଏଜେନ୍ସିରୁ କିଛି ଘୋଷଣା ନ ହେବା ପୂର୍ବରୁ ମୁଁ ଏନେଇ କହି ପାରିବି ନାହିଁ।

 

Share