ଇସ୍ରାଏଲର ସମର୍ଥନରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀ: ହମାସର ଚିନ୍ତା ବଢ଼ିଲା…

ଜେରୁଜେଲମ, ୧୦।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କରିଛି। ଅକ୍ଟୋବର ୭ ରେ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କ୍ରମାଗତ ବିବାଦ ଲାଗି ରହିଛି। ଏହି ସମୟରେ, ବିଶ୍ୱ ବହୁ ଦେଶ ଇସ୍ରାଏଲକୁ ସମର୍ଥନ କରି ଏକତା ପ୍ରଦର୍ଶନ କରିଛନ୍ତି। ଏଥି ସହିତ, ଅନ୍ୟ ଅନେକ ଦେଶ ପାଲେଷ୍ଟାଇନକୁ ମଧ୍ୟ ସମର୍ଥନ କରିଛନ୍ତି।

ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ହମାସ ଆକ୍ରମଣରେ ଏପର୍ଯ୍ୟନ୍ତ ୯୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ୬୮୦ ଜଣ ପାଲେଷ୍ଟାଇନଙ୍କର ଇସ୍ରାଏଲ ଆକ୍ରମଣରେ ମୃତ୍ୟୁଘଟିଛି। ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ଯେ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ପ୍ରାୟ ୮୪ ଦେଶ ହମାସ ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ବ୍ୟତୀତ ଇରାନ ସମେତ ମଧ୍ୟ ପୂର୍ବ ଦେଶଗୁଡିକ ହମାସକୁ ପଛରୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ସମର୍ଥନ କରିଛନ୍ତି। ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମେରିକା ଯୁଦ୍ଧ ଜାହାଜ ଏବଂ ଯୁଦ୍ଧ ବିମାନ ପଠାଇଛି। ରାଷ୍ଟ୍ରପତି ବାଇଡେନ ମଧ୍ୟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହା ସହିତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇସ୍ରାଏଲକୁ ସମର୍ଥନ କରିବା ବିଷୟରେ କହିଛନ୍ତି।

ଆମେରିକା, ଜର୍ମାନୀ, ଫ୍ରାନ୍ସ ଏବଂ ଇଟାଲୀ ମିଳିତ ବିବୃତ୍ତି ଜାରି କରି ଇସ୍ରାଏଲକୁ ସମର୍ଥନ କରିଛନ୍ତି ଯେଉଁଥିରେ ସେମାନେ ଏହି ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।

Share