ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି। ଏହି ଆକ୍ରମଣରେ ୟୁକ୍ରେନର ବିଭିନ୍ନ ସହର ଏବେ ଧ୍ୱଂସସ୍ତୁପ ପାଲଟିଗଲାଣି। ଅନ୍ୟପଟେ ରୁଷିଆକୁ ବିଶ୍ୱରୁ ଅଲଗା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ତେବେ ଯୁଦ୍ଧ ମଧ୍ୟରେ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ ଆସନ୍ତା ସପ୍ତାହରେ ପୋଲାଣ୍ଡ ଏବଂ ରୋମାନିଆ ଗସ୍ତ କରିବେ ବୋଲି ଜଣାପଡ଼ିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଦିନକୁ ଦିନ ଅତ୍ୟନ୍ତ ବିପଜ୍ଜନକ ଓ ଭୟଙ୍କର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ୟୁକ୍ରେନ ଓ ଆମେରିକାର ପୂର୍ବ ନାଟୋ ସହଯୋଗୀଙ୍କୁ ବାଇଡେନ ପ୍ରଶାସନ ପକ୍ଷରୁ ସମର୍ଥନ ଜାରି ରହିଛି। ଏଥିପାଇଁ ଆସନ୍ତା ବୁଧବାରଠାରୁ ମାର୍ଚ୍ଚ ୧୧ପର୍ଯ୍ୟନ୍ତ କମଲା ହାରିସ ପୋଲାଣ୍ଡ ଓ ରୋମାନିଆ ଗସ୍ତ କରିବେ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହି ଯାତ୍ରା ସମୟରେ ସେ ଓ୍ବରସା ଏବଂ ବୁଖାରେଷ୍ଟରେ ରହିବେ। ସୂଚନାନୁସାରେ, ୟୁକ୍ରେନ ଉପରେ ହୋଇଥିବା ରୁଷିଆର ଆକ୍ରମଣକୁ ନେଇ ୨ଦେଶ ଭିତରେ ସମନ୍ବୟ ରକ୍ଷା କରିବା ଲାଗି ପୋଲାଣ୍ଡ ଏବଂ ରୋମାନିଆର ନେତାଙ୍କ ସହ ସାକ୍ଷାତ କରିବେ କମଲା। ଆମେରିକା କିପରି ୟୁକ୍ରେନର ପଡ଼ୋଶୀମାନଙ୍କୁ ସମର୍ଥନ କରିପାରିବ ସେ ବିଷୟରେ ହାରିସ ଆଲୋଚନା କରିବେ। ଏହି ଯୁଦ୍ଧ ପରେ ୟୁକ୍ରେନର ବହୁ ସଂଖ୍ୟକ ନାଗରିକ ପଡୋଶୀ ଦେଶକୁ ପଳାୟନ କରୁଛନ୍ତି। ଏଭଳି ପରିସ୍ଥିତିରେ ଶରଣାର୍ଥୀଙ୍କ ସୁରକ୍ଷା ତଥା ମାନବିକ ସହାୟତା ବିଷୟରେ ମଧ୍ୟ ଆଲୋଚନା କରାଯାଇପାରେ। ଏତଦ୍‌ ବ୍ୟତୀତ ଏହି ଗସ୍ତରେ ନାଟୋ ମିଳିତ ମଞ୍ଚର ଶକ୍ତି ଏବଂ ଏକତା ମଧ୍ୟ ପ୍ରଦର୍ଶନ ହେବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Share