ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…

ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ କରିଛନ୍ତି। ଆମେରିକାର କୋର୍ଟରେ ଅପିଲ କରି ବାଇଡେନ ସରକାର ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପଠାଇବାକୁ ନିବେଦନ କରିଛନ୍ତି।

ମୂଳ ପାକିସ୍ତାନୀ ତାହୱୁର ରାଣାଙ୍କୁ ମେ ମାସରେ ଭାରତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ରାଣା ଏହା ବିରୋଧରେ ହାବିସ କର୍ପସ ଆବେଦନ କରି ଏହି ପ୍ରତ୍ୟର୍ପଣକୁ ବିରୋଧ କରିଛନ୍ତି। ଆମେରିକାର ଆଟର୍ନି ଇ ମାର୍ଟିନ ଏଷ୍ଟ୍ରାଡା ବାଇଡେନ ସରକାରଙ୍କ ତରଫରୁ କାଲିଫର୍ନିଆର ସେଣ୍ଟ୍ରାଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରି କହିଛନ୍ତି ଆମେରିକା ସମ୍ମାନର ସହ ଅନୁରୋଧ କରୁଛି କୋର୍ଟ ତାହୱୁର ରାଣାଙ୍କ ହାବିସ କର୍ପସ ଆବେଦନକୁ ଖାରଜ କରନ୍ତୁ। ଆମେରିକାର ଓକିଲ କହିଛନ୍ତି ଭାରତର ପ୍ରତ୍ୟର୍ପଣ ଆବେଦନରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି ଆବେଦନକାରୀ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି।

ଭାରତରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପଠାଇବା ପାଇଁ ଆମେରିକା କୋର୍ଟ ଅନୁମୋଦନ କରିଥିଲେ ଏବଂ ରାଣାଙ୍କୁ ଭାରତକୁ ପଠାଇବା ପାଇଁ ଆମେରିକା ସରକାରଙ୍କ ଆବେଦନକୁ ଗ୍ରହଣ କରିଥିଲେ। ଏହା ପରେ ରାଣା କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ଜିଲା କୋର୍ଟରେ ହାବେସ କର୍ପସ ଆବେଦନ କରିଥିଲେ ଯାହା କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ଏହି ଆବେଦନରେ ରାଣା ଦାବି କରିଛନ୍ତି ତାଙ୍କୁ ଭାରତକୁ ପଠାଇବା ଆଦେଶ ଭାରତ-ଆମେରିକାର ପ୍ରତ୍ୟର୍ପଣ ଚୁକ୍ତିର ଦୁଇଟି ଧାରାକୁ ଖଣ୍ଡନ କରିଛି।

ରାଣା ଯୁକ୍ତି କରିଛନ୍ତି ଆମେରିକାର ଇଲିନୋଇସ କୋର୍ଟ ତାଙ୍କୁ ସମାନ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିସାରିଛନ୍ତି ଯେଉଁଥିରେ ଭାରତ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛି। ଦ୍ୱିତୀୟତଃ, ତାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଦେଇଥିବା ଅଭିଯୋଗ ଏବଂ ତାଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଦଲିଲ ପ୍ରମାଣ କରେ ନାହିଁ ସେ ତାଙ୍କ ବିରୋଧରେ ଅପରାଧ କରିଛନ୍ତି।

Share