ବିଲଡିଂରେ ଲଗାଇଲେ ନିଆଁ, ଲୋକେ ଦୌଡିବାରୁ ଚଳାଇଲେ ଆଖିବୁଜା ଗୁଳି: ୪ ମୃତ

ହୌଷ୍ଟନ,୨୯ ।୮: ସାମ୍ନାକୁ ଆସିଛି ଆମେରିକାର ହୌଷ୍ଟନରେ ହୋଇଥିବା ଭିନ୍ନ ଧରଣର ଗୁଳିକାଣ୍ଡ ସମ୍ପର୍କିତ ସୂଚନା । ମିଳିଥିବା ସୂଚନା ଅନୁଯାୟୀ, ହୌଷ୍ଟନରେ ଜଣେ ବ୍ୟକ୍ତି ଏକ ବିଲଡିଂରେ ନିଆଁ ଲଗାଇ ଦେଇଥିଲେ । ଏହା ଦେଖିବା ପରେ ଲୋକେ ଘରୁ ବାହାରି ବାହାରକୁ ଦୌଡିବା ଆରମ୍ଭ କରିଥିଲେ । ଆଉ ଲୋକେ ଜୀବନ ବିକଳରେ ଦୌଡୁଥିବା ସମୟରେ ସେହି ଅଜ୍ଞାତ ବ୍ୟକ୍ତି ଜଣଙ୍କ ଦୌଡୁଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଏଥିରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ହୌଷ୍ଟନ ପୋଲିସ ଚିଫ ଟ୍ରୟ ଫିନର କହିଛନ୍ତି. ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ଉପରକୁ ପୋଲିସ ଅଧିକାରୀମାନେ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ।
ହୌଷ୍ଟନ ପୋଲିସ ଚିଫ ଟ୍ରୟ ଫାଇନର ପ୍ରେସ କନଫରେନ୍ସରେ କହିଛନ୍ତି ଆକ୍ରମଣକାରୀ ଖୁବ୍ ବିପଦପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ବିଲଡିଂରେ ନିଆଁ ଲଗାଇ ଦେଇଛନ୍ତି । ସେହି ସମୟର ବିଲଡିଂରେ ବହୁ ଲୋକେ ରହିଥିଲେ, ହେଲେ ନିଆଁ ଲାଗିବା ଦେଖି ଏମାନେ ବାହାରକୁ ଚାଲି ଆସିବା ସମୟରେ ଆକ୍ରମଣକାରୀ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏମାନେ କେତେବେଳେ ବାହାରକୁ ଆସିବେ ତାକୁ ଅପେକ୍ଷା ରଖିଥିଲେ ଆକ୍ରମଣକାରୀ ।

Share