‘ଚାଇନା ନୁହେଁ ଭାରତ କରିପାରିବ ୟୁକ୍ରେନ ଯୁଦ୍ଧର ସମାଧାନ’, ଆମେରିକା ନେତା କହିଲେ ଏହାର କାରଣ

ଓ୍ବାଶିଂଟନ,୧୬।୬: ଆମେରିକାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧର ସମାଧାନ ଚାଇନା ନୁହେଁ ବରଂ ଭାରତ କରିପାରିବ। ସୂଚନାଯୋଗ୍ୟ, ଚାଇନା, ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ଚେଷ୍ଟା ଚଳାଇଛି। ଭାରତୀୟ ମୂଳ ବାସିନ୍ଦା ଆମେରିକୀୟ ସାଂସଦ ଏମି ବେରା କହିଛନ୍ତି, ଭାରତର ରୁଷିଆ ସହ ସମ୍ପର୍କ ବହୁ ପୁରୁଣା, ତେଣୁ ଏହି ସମ୍ପର୍କକୁ ନେଇ ଭାରତ ପୁଟିନଙ୍କ ସହ କଥା ହେବା ଦରକାର ଓ ୟୁକ୍ରେନ୍‌ ଯୁଦ୍ଧର ସମାଧାନ ବାହାର କରିବାକୁ ଚେଷ୍ଟା କରିବା ଦରକାର। ଏମି ବେରା କହିଛନ୍ତି, ମୋତେ ଜଣାନାହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ଓ ମୋଦିଙ୍କ ମଧ୍ୟରେ ୟୁକ୍ରେନ ସଙ୍କଟକୁ ନେଇ କିଛି କଥା ହେବ କି ନା।

ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ଏମି ବେରା କହିଛନ୍ତି।ରୁଷିଆ ସହିତ ଭାରତର ପୁରୁଣା ସମ୍ପର୍କ ରହିଛି। ଭାରତୀୟ ପ୍ରଧାନମନ୍ତ୍ରୀ ରୁଷିର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇପାରିବେ କାରଣ ଆମେ ତାହା କରିପାରୁ ନାହୁଁ। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଅସ୍ତ୍ରବିରତି ପାଇଁ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ମୁଁ ଭାବୁଛି ଭାରତ ଏହି କାମ କରିବା ଉଚିତ।

Share