ଦେବାଳିଆ ହେବାରୁ ବଞ୍ଚିଗଲା ଆମେରିକା! ରାଷ୍ଟ୍ରପତି ବାଇଡେନ, କେଭିନ ମ୍ୟାକ୍କାର୍ଥିଙ୍କ ମଧ୍ୟରେ ହେଲା ଋଣ ସୀମା ଚୁକ୍ତି

ଓ୍ବାଶିଂଟନ,୨୮।୫: ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ। ରାଷ୍ଟ୍ରପତି ଜୋ ବାଇଡେନ ଓ ରିପବ୍ଲିକାନ ସାଂସଦ ଓ ଆମେରିକା କଂଗ୍ରେସର ସ୍ପିକର କେଭିନ ମ୍ୟାକ୍କାର୍ଥିଙ୍କ ମଧ୍ୟରେ ଋଣ ସୀମାକୁ ନେଇ ଚୁକ୍ତି ହୋଇଯାଇଛି। ଏହି ଚୁକ୍ତି ଆଧାରରେ ଋଣ ସୀମାକୁ ବୃଦ୍ଧି କରାଯାଇ ୩୧.୪ଟ୍ରିଲିୟନ ଡଲାର ଉପରେ ସହମତି ହୋଇଯାଇଛି। ଏହାଦ୍ୱାରା ଆମେରିକାରେ ପ୍ରାୟ ଏକମାସ ହେବ ଲାଗି ରହିଥିବା ଆର୍ଥିକ ସଙ୍କଟ ଶେଷ ହେବାକୁ ଯାଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚୁକ୍ତି ହୋଇନାହିଁ, କିନ୍ତୁ ଚୁକ୍ତି ପାଇଁ ଏକ ପ୍ରକାର ସହମତି ହୋଇଯାଇଛି। ତଥାପି କିଛି କଥା ଉପରେ ଆଲୋଚନା ହେଉଛି ଏବଂ ଖୁବ ଶୀଘ୍ର ଉଭୟ ନେତା ଚୁକ୍ତି ଉପରେ ମୋହର ଲଗାଇବେ। ଖବର ଅନୁଯାୟୀ, ଶନିବାର ସାରେ ରାଷ୍ଟ୍ରପତି ବାଇଡେନ ଏବଂ କେଭିନ ମ୍ୟାକ୍କାଥିଙ୍କ ମଧ୍ୟରେ ୯୦ମିନିଟର ଫୋନ ବାର୍ତ୍ତାଳାପ ହୋଇଥିଲା। ଏହି ଚୁକ୍ତି ସହିତ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଆମେରିକାକୁ ଆଶ୍ୱସ୍ତି ମିଳିବ।

ଯଦି ଶୀଘ୍ର ଋଣ ସୀମା ଉପରେ କୌଣସି ଚୁକ୍ତିନାମା ହୋଇ ନ ଥାନ୍ତା, ତେବେ ଆମେରିକାର ଟ୍ରେଜେରୀ ଖାଲି ହୋଇ ଯାଇଥାନ୍ତା, ଯେଉଁଥିପାଇଁ ଆମେରିକାର ଦେବାଳିଆ ହେବାର ଆଶଙ୍କା ରହିଥିଲା। ଏହା କେବଳ ଆମେରିକା ନୁହେଁ ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥାନ୍ତା ।

Share