ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ମୃତକଙ୍କ ସଂଖ୍ୟା ୬୭ ଛୁଇଁଲା

ଓ୍ବାଶିଂଟନ,୧୨।୮: ଆମେରିକାର ହାୱାଇ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି। ଅଧିକାଂଶ ମୃତ୍ୟୁ ହାୱାଇର ମାଉଇ କାଉଣ୍ଟି ଅଞ୍ଚଳରେ ଘଟିଛି। ଉଲ୍ଲେଖନୀୟ ଯେ, ଅନେକ ଅଞ୍ଚଳରେ ନିଆଁକୁ ନିୟନ୍ତ୍ରଣ କରାଯାଇନାହିଁ। ହାୱାଇ ଗଭର୍ଣ୍ଣର ଜୋଶ ଗ୍ରୀନ କହିଛନ୍ତି ଯେ କେବଳ ମାଉଇରେ ମୃତକଙ୍କ ସଂଖ୍ୟା ୫୯ରେ ପହଞ୍ଚିଛି।

ହାୱାଇର ରାଜ୍ୟପାଳ କହିଛନ୍ତି ଯେ ବିଲଡିଂ ଭିତରେ ନୁହେଁ ଖୋଲା ସ୍ଥାନରେ ଏହି ମତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ସେ କହିଛନ୍ତି। ହାୱାଇ ପ୍ରଶାସନ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଏବଂ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ମଧ୍ୟ ଅନୁସନ୍ଧାନ କରାଯିବ ଯେ ଚେତାବନୀ ସାଇରନ କାହିଁକି ବାଜିଲା ନାହିଁ। ଏହି କାରଣରୁ ସେଠାକାର ବାସିନ୍ଦାଙ୍କୁ ସଚେତନ କରାଯାଇପାରିଲା ନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହ ଆରମ୍ଭରେ ହାୱାଇରେ ଅଗ୍ନିକାଣ୍ଡ ଘଟିଥିଲା ଯାହା ଅନିୟନ୍ତ୍ରିତ ହୋଇଯାଇଥିଲା।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ହାୱାଇ ଗଭର୍ଣ୍ଣର ଜୋଶ ଗ୍ରୀନଙ୍କ ସହ କଥା ହୋଇଛନ୍ତି। ଏହି ବାର୍ତ୍ତାଳାପରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇ ସରକାରଙ୍କ ତରଫରୁ ସହାୟତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହାୱାଇରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କୁ ଆମେରିକା ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆମେରିକା ସରକାର ହାୱାଇରେ ଘର ପୁନଃ ନିର୍ମାଣ ଏବଂ ମରାମତି କରିବେ ଏବଂ ସୁଲଭ ହାରରେ ଲୋକଙ୍କୁ ଋଣ ମଧ୍ୟ ପ୍ରଦାନ କରାଯିବ।

Share