ବିବାହ ନ କରି ପିତା ହୋଇଛନ୍ତି ପୁଅ ହଂଟର, ଏକଥା ସ୍ବୀକାର କଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨୯।୭: ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ପ୍ରଥମ କରି ସାର୍ବଜନିକ ଭାବେ ନିଜ ପୁଅ ହଂଟରଙ୍କ ୪ ବର୍ଷର ଝିଅ ନେଭିଙ୍କ ସମ୍ପର୍କରେ କଥା ହୋଇଛନ୍ତି। ସେ କହିଛନ୍ତି କି ନେଭିଙ୍କ ମାଆ ଲୁଂଡେନ ରବଟର୍ସଙ୍କୁ ହଂଟର ବିବାହ କରି ନାହାନ୍ତି। ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ନେଭିଙ୍କ ମା ଲଂଡେନ ଏବଂ ଆମେ ତାଙ୍କ ଝିଅର ସ୍ବାର୍ଥରେ ଥିବା ସମ୍ପର୍କ ବିଷୟରେ ବୁଝାମଣା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛୁ। ବାଇଡେନ ମଧ୍ୟ ସେମାନଙ୍କର ଗୋପନୀୟତାକୁ ସମ୍ମାନ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।
ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ପାରିବାରିକ ପ୍ରସଙ୍ଗ। ଜିଲ ଏବଂ ମୁଁ କେବଳ ଆମର ନାତିନାତୁଣିମାନଙ୍କ ପାଇଁ ଯାହା ଭଲ ତାହା କରିବାକୁ ଚାହୁଁ, ଯେଉଁଥିରେ ନେଭି ବି ସାମିଲ ଅଛି। ସୂଚନାଯୋଗ୍ୟ, ଲୁଂଡେନ ରୋବର୍ଟସ ଶିଶୁ ସହାୟତା ପାଇଁ ହଂଟରଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ। ଏହା ପରେ ହଂଟର୍ସଙ୍କ ଡିଏନଏ ପରୀକ୍ଷା କରାଯାଇଥିଲା, ଯାହା ପ୍ରମାଣ କରିଥିଲା ଯେ ନେଭିର ପିତା ହେଉଛନ୍ତି ରାଷ୍ଟ୍ରପତି ବାଇଡେନଙ୍କ ପୁଅ ହଂଟର। ବର୍ତ୍ତମାନ ଉଭୟ ପକ୍ଷ ଚାଇଲ୍ଡ ସପୋର୍ଟକୁ ନେଇ ଆଲୋଚନା କରୁଛନ୍ତି।
୨୦୨୧ରେ ପ୍ରକାଶିତ ହଂଟର ତାଙ୍କର ଏକ ପୁସ୍ତକରେ କହିଥିଲେ ଯେ ସେ ଲୁଂଡେନଙ୍କୁ ଭେଟିବା ସମୟରେ କୋକେନ ନିଶା ସେବନ କରୁଥିଲେ। ହଂଟର କହିଛନ୍ତି ଯେ ସେ ଏ ବିଷୟରେ କିଛି ମନେ କରନ୍ତି ନାହିଁ କିନ୍ତୁ ସେ ଶିଶୁର ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତ। ହଂଟରଙ୍କ ଝିଅ ବିଷୟରେ ଗଣମାଧ୍ୟମରେ ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିଲା, କିନ୍ତୁ ଏପର୍ଯ୍ୟନ୍ତ ବାଇଡେନ ଏହି ପ୍ରସଙ୍ଗରେ ନୀରବ ରହିଆସିଛନ୍ତି। ବର୍ତ୍ତମାନ ପ୍ରଥମ ଥର ପାଇଁ ବାଇଡେନ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ମନ୍ତବ୍ୟ ଦେଇଛନ୍ତି।

Share