ଡୋନାଲ୍ଡ ଟ୍ରମ୍ଫଙ୍କ ମଗ ସଟକୁ ନେଇ ପରିହାସ କଲେ ବାଇଡେନ

ଓ୍ବାଶିଂଟନ,୨୬।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ୨୦୨୦ ନିର୍ବାଚନକୁ ରଦ୍ଦ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଗୁରୁବାର ଜର୍ଜିଆରେ ଆତ୍ମ ସମର୍ପଣ କରିଛନ୍ତି। ଏହି ସମୟରେ ତାଙ୍କ ମଗ ସଟ ଅପରାଧୀଙ୍କ ପରି ନିଆଯାଇଥିଲା। ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ମଗ ସଟ ନିଆଯାଇଛି। ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ ଏ ବିଷୟରେ ପରିହାସ କରି ଟ୍ରମ୍ପଙ୍କୁ ଜଣେ ସୁନ୍ଦର ପୁରୁଷ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଯେ ପୋଲିସ ରେକର୍ଡ କିମ୍ବା କାଗଜପତ୍ର ପାଇଁ ଅଭିଯୁକ୍ତ କିମ୍ବା ଅପରାଧୀଙ୍କ ମୁହଁର ଚିତ୍ର ନିଆଯାଏ। ଏହା ସହିତ ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ରେକର୍ଡ କରାଯାଇଛି। ଏହାକୁ ମଗ ସଟ କୁହାଯାଏ।
ଖବରଦାତାମାନେ ଡୋନାଲ୍ଡ ଟ୍ରମ୍ପଙ୍କ ମଗ ସଟ ବିଷୟରେ ରାଷ୍ଟ୍ରପତି ବାଇଡେନଙ୍କୁ ପ୍ରଶ୍ନ କରିଥିଲେ। ଏହା ଉପରେ ବାଇଡେନ ହସିଲେ ଏବଂ କହିଥିଲେ ଯେ ସେ ଏହାକୁ ଟିଭିରେ ଦେଖିଛନ୍ତି, ସେ ଜଣେ ସୁନ୍ଦର ଏବଂ ଚମତ୍କାର ବ୍ୟକ୍ତି। ତେବେ ଟ୍ରମ୍ପଙ୍କ ଆଇନଗତ ମାମଲା ଉପରେ ବାଇଡେନ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସୂଚନା ଅନୁସାରେ ଟ୍ରମ୍ପ ଦୁଇ ଲକ୍ଷ ଡଲାରର ବଣ୍ଡରେ ମୁକ୍ତ ହୋଇଥିଲେ। ଗତ ପାଞ୍ଚ ମାସ ମଧ୍ୟରେ ଆପରାଧିକ ମାମଲାରେ ଟ୍ରମ୍ପଙ୍କ ଏହା ହେଉଛି ଚତୁର୍ଥ ଗିରଫ। ତେବେ ଅପରାଧୀଙ୍କ ପରି ଟ୍ରମ୍ପଙ୍କ ମଗ ସଟର ଏହା ପ୍ରଥମ ଘଟଣା।

Share